ତିନି ବର୍ଷ ମଧ୍ୟରେ ସମସ୍ତ ଗାଁରେ ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗାଇ ଦିଆଯିବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି) 2020 କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଭାରତର ଡିଜିଟାଲ ଟେକ୍ନୋଲୋଜି ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ମୋବାଇଲ୍ ଉତ୍ପାଦନ ପାଇଁ ଦେଶ ସବୁଠାରୁ ପସନ୍ଦଯୋଗ୍ୟ ସ୍ଥାନ ଭାବରେ ଉଭା ହେଉଛି । ଦ୍ରୁତ ଅଭିବୃଦ୍ଧିଶୀଳ ଆପ୍ ବଜାର ସହିତ ଭାରତରେ ସର୍ବନିମ୍ନ ମୋବାଇଲ୍ ଶୁଳ୍କ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ପ୍ରଯୁକ୍ତିବିଦ୍ୟାର ଉନ୍ନତିକରଣ ଯୋଗୁଁ ସବୁବେଳେ ହ୍ୟାଣ୍ଡ୍ସେଟ୍ ଓ ଗ୍ୟାଜେଟ୍ ପରିବର୍ତ୍ତନ କରିବା ଆମ ସଂସ୍କୃତି ପାଲଟି ଗଲାଣି। ଇଲେକ୍ଟ୍ରୋନିକ୍ ଆବର୍ଜନା ପରିଚାଳନା କରି ସେଥିରୁ ଅର୍ଥନୀତି ସୃଷ୍ଟି କରିବା ନିମନ୍ତେ ନୂଆ ଉପାୟ ଚିନ୍ତା କରିବାକୁ ମୋବାଇଲ୍ ଶିଳ୍ପ ଏକ ଟାସ୍କ୍-ଫୋର୍ସ ଗଠନ କରି ପାରିବ କି ବୋଲି ସେ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ପୁଣି କହିଲେ, ଭବିଷ୍ୟତରେ ଠିକ୍ ସମୟରେ ୫ଜି ପ୍ରଚଳନ କରି ନିୟୁତ ନିୟୁତ ଭାରତୀୟଙ୍କୁ ସଶକ୍ତ କରିବା ନିମନ୍ତେ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ମୋବାଇଲ୍ଟେକ୍ନୋଲୋଜି ବଳରେ ହିଁ ଆମେ କୋଟି କୋଟି ଭାରତୀୟଙ୍କୁ କୋଟି କୋଟି ଡଲାର୍ ଯୋଗାଇ ଦେଇ ପାରୁଛନ୍ତି। ମୋବାଇଲ୍ ଟେକ୍ନୋଲୋଜି ବଳରେ ହିଁ ଆମେ ମହାମାରୀ ସମୟରେ ଗରିବ ଏବଂ ବିପଦଗ୍ରସ୍ତମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ପାରିଛନ୍ତି।