ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ବ୍ରହ୍ମପୁର ଉନ୍ନୟନ ନିଗମ (ବିଡ଼ିଏ) ପକ୍ଷରୁ ବୃକ୍ଷରୋପଣ କରାନଯାଇ ୪୫ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହେଉଛି । ବ୍ୟକ୍ତିଗତ ଉଦ୍ୟମରେ କିମ୍ବା ଅନ୍ୟ ଅନୁଷ୍ଠାନ ଦ୍ୱାରା ଲଗାଯାଇଥିବା ଗଛକୁ ତାର ଜାଲି ଦ୍ୱାରା ଆବୃତ କରିବା ପାଇଁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଆରଟିଆଇ ସୂତ୍ରରୁ ଜଣାପଡିଛି । ସ୍ଥାନୀୟ ଜଣେ ସାମାଜିକ କର୍ମୀ ଆରଟିଆଇକୁ ଏହି ତଥ୍ୟ ମାଗି ସୂଚନା ପାଇଛନ୍ତି । ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ତଥା ବିଜେଡ଼ି ନେତା ସୁବାଷ ମହାରଣା ଦାୟୀତ୍ୱରେ ଥିଲା ବେଳେ ଏହି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।
ଏହି ଘଟଣାରେ ଗଞ୍ଜାମ ଜିଲ୍ଲା କଂଗ୍ରେସର ସମ୍ପାଦକ ପୀତବାସ ପଣ୍ଡା ଘଟଣାର ତୀବ୍ର ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ତେବେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା ଏବଂ ପୂର୍ବତନ ବିଧାୟକ ଡଃ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିବୃତିରେ କହିଛନ୍ତି ଯେ, ଏଥିରେ କୌଣସି ଦୁର୍ନୀତି ହୋଇନାହିଁ । ଅନ୍ୟ ଜଣେ ପରିବେଶବିତ୍ ସୁଧିର ରାଉତ ଘଟଣାର ତଦନ୍ତ ଦାବି କରିଛନ୍ତି ।