ମହାଶିଙ୍ଗିରେ ଧରଣୀପେନୁ ଯାତ୍ରା, ମାଟି ମାଆକୁ ଶାନ୍ତ କରିବା ପାଇଁ ପୋଢ ବଳି : ମନୁଷ୍ୟର କ୍ରୁରତା ଆଗରେ ପଶୁ ହାରୁଛି ଜୀବନ

134
କନ୍ଧମାଳ:  କନ୍ଧମାଳ ଜିଲ୍ଲାରେ ଅନେକ ଯୁଗରୁ ଆଦିବାସୀ ପରମ୍ପରା ଅନୁସାରେ ଚାଲି ଆସିଛି ବଳି ପ୍ରଥା । ଜିଲ୍ଲାରେ ଆଦିବାସୀ ମାନଙ୍କ ଧରଣୀ ପେନୁ ଯାତ୍ରାବେଳେ ମାଟି ମାଆକୁ ପୂଜା କରାଯିବା ପାଇଁ ଏବଂ ଏହା ଦ୍ୱାରା ମାଟି ମାଆ ଖୁସି ହେବା ଦ୍ୱାରା ଭଲ ଫସଲ ହୁଏ ବୋଲି ଲୋକଙ୍କର ଏହି ବିଶ୍ୱାସ ପୂର୍ବରୁ ରହିଥିବାବେଳେ କାଳକ୍ରମେ ସରକାର ଏହାକୁ ଅନ୍ଧ ବିଶ୍ୱାସ  ଦର୍ଶାଇବା ସହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ, ଏହି ପୂଜା ବେଳେ ଲୋକଙ୍କ ଚାଷ ଜମିରେ ପଶୁ ବଳି ଦେଲେ ଜମିରେ ଭଲ ଚାଷ ହେଉଥିବା ଏହି ବିଶ୍ୱାସ ଯୋଗୁଁ ଗ୍ରାମାଂଚଳର ଲୋକେ ପଶୁ ବଳି ପ୍ରଥାକୁ ଜାରୀ ରଖିଛନ୍ତି ।
ଏପରିକି ପୂର୍ବରୁ ମଣିଷ ବଳି (ମେରିଆ) ପ୍ରଥା ମଧ୍ୟ ଜିଲ୍ଲାରେ ଚାଲି ଆସିଛି । ହେଲେ କାଳକ୍ରମେ ଏହି ପ୍ରଥା ସବୁକୁ ଅନ୍ଧ ବିଶ୍ୱାସ ଭାବରେ ପରିଗଣିତ କରି ସରକାର ବଳି ପ୍ରଥାକୁ ବନ୍ଦ କରିଛନ୍ତି । ଏହାର ପରିଣାମ ସ୍ୱରୁପ କନ୍ଧମାଳ ଜିଲ୍ଲାର ବଲସକୁମ୍ପା ବରାଳଦେବୀ ପୀଠ ଭଳି ଅନେକ ପୀଠରେ ପୂର୍ବରୁ ଚାଲି ଆସିଥିବା ବଳି ପ୍ରଥା ସବୁକୁ ବନ୍ଦ କରାଯାଇଛି । ହେଲେ ଜିଲ୍ଲାରେ କେତେକ ଯଗାରେ ଆଜି ମଧ୍ୟ ମାଟି ପୂଜା କରିବା ନାମରେ କେତେକ ଯାଗାରେ ଏହି ପଶୁ ସମ୍ପଦ ପ୍ରତି କ୍ରୁରତା ଦେଖିବାକୁ ମିଳୁଛି ।
କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଂଚଳର ମହାଶିଙ୍ଗି ପଂଚାୟତର ମାଟାମାହା, ମାଳାଙ୍ଗା ପଦର, ସାକାପାଲି ସମେତ କିଛି ଗ୍ରାମର ଲୋକେ ମିଳିମିଶି ପୋଢ ବଳି ଏବଂ ମାଟି ପୂଜା କରିଛନ୍ତି । ଗାଁର ଏକ ପଡିଆରେ ଗୋଟିଏ ଖୁଣ୍ଟରେ ଗୋଟିଏ ପୋଢକୁ ବନ୍ଧା ଯାଇ ସେଠାରେ ଶତାଧିକ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସେହି ପୋଢକୁ ତିଳତିଳ କରି ମାରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ପ୍ରଥମେ ପୋଢକୁ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ତାକୁ ଗୋଡାଇ ଗୋଡାଇ ତାକୁ ହାଲିଆ କରିବା ପରେ ଲୋକମାନେ ସେଠାରେ ତାକୁ ନିର୍ମମ ଭାବରେ ଧାରୁଆ ଛୁରିରେ ଜଣକ ପରେ ଜଣେ କାଟି କାଟି ହତ୍ୟା କରି ଥାଆନ୍ତି । ଏହି ଦୃଶ୍ୟ ଜଣେ ସାଧାରଣ ଲୋକ ଦେଖିବା କଷ୍ଟକର । ଏନିମାଲ କ୍ରୁଏଲିଟିକୁ ବାରଣ କରିବାକୁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ଆଇନ ପ୍ରଣୟନ କରିଥିବା ସହିତ ଖୋଲା ବଜାରରେ ଛେଳି କୁକୁଡ଼ାଙ୍କୁ ମଧ୍ୟ ମାରିବାକୁ ବାରଣ କରିବା ସହିତ ବୁଲା କୁକୁର ମାନଙ୍କୁ ମଧ୍ୟ ସେମାନଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ମାରିବା ବନ୍ଦ କରାଯାଇଛି ।
ଏହାସହିତ ବିଭିନ୍ନ ପୂଜା ପାର୍ବଣରେ ବଳି ପ୍ରଥାକୁ ବନ୍ଦ କରିଛନ୍ତି ସରକାର । ତେବେ ଚାଷ ପାଇଁ ବୈଜ୍ଞାନିକ ପଦ୍ଧତିରେ ଅନେକ ରାସାୟନିକ ସାର ତଥା ଜୈବିକ ସାର ବାହାରିଛି ।  ଲୋକମାନେ ଚାଷରେ ଏହାକୁ  ବ୍ୟବହାର କରି କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ କରୁଛନ୍ତି । ହେଲେ ମାଟି ମାଆକୁ ଖୁସି କରିବା ନାମରେ ଏହି କ୍ରୁରତାର ଆଉ କୌଣସି ଆବଶ୍ୟକତା ନାହିଁ,  ବରଂ ଏହା ଦ୍ୱାରା ଆୟୋଜିତ ଏହି ପୋଢ ଯାତ୍ରାରେ ଆଖପାଖରେ ଏହାକୁ ଦେଖୁଥିବା ଛୋଟ ପିଲାଙ୍କ ଭିତରେ ଏକ ପ୍ରକାରର ଆତଙ୍କ ସୃଷ୍ଟି ହେବା ସେମାନଙ୍କ ମାନସିକତାରେ ଏହି ଦୃଶ୍ୟର କୁପ୍ରଭାବ ପଡିବାର  ଯଥେଷ୍ଟ ସମ୍ଭାବନା ରହିଛି ।
ଆଖପାଖ ଅଂଚଳରେ ଥିବା ଜନ ପ୍ରତିନିଧି, ସରକାରୀ କର୍ମଚାରୀ, ପ୍ରଶାସନିକ ଅଧିକାରୀ ତଥା ପୋଲିସ ଅଧିକାରୀ ମାନଙ୍କ ଜାଣତରେ ଏହି ପୋଢ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ପଦାଧିକାରୀ ଏବଂ ପୋଲିସ ମଧ୍ୟ ଏଥିରେ କିପରି ନିରବ ଦ୍ରଷ୍ଟା ସାଜିଛନ୍ତି ତାହା ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
Leave A Reply

Your email address will not be published.