ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି । କିଛି ସ୍ଥାନରେ କୁକୁଡା ଓ ପକ୍ଷୀ ଗୁଡିକ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରୁଥିବାର ଖବର ସାମ୍ନାକୁ ଆସୁଛି । ଶହ ଶହ ସଂଖ୍ୟାରେ ପକ୍ଷୀ ଗୁଡିକ ମରୁଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛ । ଏସବୁ ଭିତରେ ବାର୍ଡ ଫ୍ଲୁକୁ ନେଇ ବଡ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖା ଦେଇଥିବା ନେଇ ସୂଚନା ଦେଇଛନ୍ତି ମୋଦି । କେରଳ,ରାଜସ୍ଥାନ,ହିମାଚଳ ପ୍ରଦେଶ,ଗୁଜୁରାଟ,ହରିୟାଣା,ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ,ଦିଲ୍ଲୀ ଓ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ସ୍ପଷ୍ଟ କରିଛନ୍ତି ମୋଦି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏହି ସୂଚନା ଦେବା ସହ ବାର୍ଡ ଫ୍ଲୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ କୁକୁଡା ଫାର୍ମ,ପ୍ରାଣୀ ଉଦ୍ୟାନ,ଜଳ ସମ୍ପଦ ଉପରେ ନିରନ୍ତର ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ ମହାମାରୀ ଭିତରେ ବାର୍ଡ ଫ୍ଲୁର ମୁକାବିଲା କରିବା ଏବେ ଅନେକ ଗୁଡିଏ ରାଜ୍ୟ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡା ହେବ ।
ବନ୍ଦ ରହିବ ନନ୍ଦନକାନନର ପକ୍ଷୀ ବିହାର
ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିଚାଲିଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ସତର୍କ ହୋଇଉଠିଛନ୍ତି । ବାର୍ଡ ଫ୍ଲୁ ଯେପରି ଚିଡ଼ିଆଖାନାରେ ଥିବା ପକ୍ଷୀମାନଙ୍କୁ ନ ବ୍ୟାପେ ସେଥିଲାଗି ନନ୍ଦନକାନନର ପକ୍ଷୀ ରହୁଥିବା ଅଂଶ ବା ପକ୍ଷୀ ବିହାରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ନନ୍ଦନକାନନରେ ଥିବା ସଫାରି ଓ ବ୍ୟାଟେରୀ ଚାଳିତ ଗାଡ଼ି ଚଳାଚଳକୁ ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।