୩ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଚିଠି

181

-କୋଭିଡ୍ ସଂକ୍ରମିତ ମୃତକଙ୍କ ସଂଖ୍ୟାର ଶ୍ୱେତପତ୍ର ପ୍ରକାଶ,ମୃତକିଙ୍କ ପରିବାରକୁ ସହାୟତା ଦାବି
-ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ ଲାଗୁ କରନ୍ତୁ : ମୋହନ ମାଝୀ

ଭୁବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କ ପରିସଂଖ୍ୟାନର ବିଭ୍ରାନ୍ତିକର ଓ ଭୁଲ ତଥ୍ୟ ଯୋଗୁଁ ବାପା-ମାଆ ହରାଇଥିବା ଯୋଗ୍ୟ ଅନାଥ ଶିଶୁମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । କୋଭିଡ୍ ସଂକ୍ରମିତ ମୃତାହତଙ୍କ ସଠିକ୍ ତଥ୍ୟକୁ ଆଧାର କରି ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଏଥି ସହ କରୋନା ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ଏବଂ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ତୁରନ୍ତ ଲାଗୁ କରିବାକୁ ଦାବି କରି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ବିରୋଧୀ ଦଳ ମୁଖ୍ୟ ସଚେତକମୋହନ ମାଝୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଯେଉଁ ପରିସଂଖ୍ୟାନ ପ୍ରତିଦିନ ଦେଉଛନ୍ତି, ତାହା ଗଣମାଧ୍ୟମ ମାନଙ୍କରେ ପ୍ରକାଶିତ ତଥ୍ୟ ଅନୁୟାୟୀ ମଶାଣିମାନଙ୍କରେ କୋଭିଡ ଗାଇଡ୍‌ଲାଇନ୍ ମାନି କରାଯାଉଥିବା ଶବଦାହ ସଂଖ୍ୟା ସହ ସରକାରଙ୍କ ତଥ୍ୟ ଭୁଲ ଓ ବିଭ୍ରାନ୍ତିକର ପ୍ରମାଣିତ ହେଉଛି । ଯଦି କରୋନା ଜନିତ ମୃତ୍ୟୁକୁ ସରକାର ଲୁଚାଇବାକୁ ଯାଇ ସତ ତଥ୍ୟ ଉପରେ ଆଧାରିତ ପରିସଂଖ୍ୟାନ ଦେବେ ନାହିଁ ତେବେ ଏହା ଏକ ଧର୍ତବ୍ୟ ଏବଂ ଜଘନ୍ୟ ଅପରାଧ ହେବ । ଶବଦାହ କରାଯାଉଥିବା ପରିସଂଖ୍ୟାନକୁ ଭିତିକରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ତଥ୍ୟକୁ ସଂଶୋଧନ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁବିଧା ସୁଯୋଗରୁ ବଂଚିତ ପିତୃ-ମାତୃ ହୀନ ଯୋଗ୍ୟ ଅନାଥ ଶିଶୁମାନଙ୍କ ତାଲିକା ଓଡ଼ିଶାର ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରିବାକୁ ବିଜେପି ବିଧାୟକମାନେ ଦୃଢ଼଼ ଦାବୀ କରିଛନ୍ତି ।

କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇ ଅନ୍ୟ ରାଜ୍ୟ ଯଥା – ଆସାମ, ରାଜସ୍ଥାନ ଓ ବିହାର ରାଜ୍ୟ ପରି ମୃତ ବ୍ୟକ୍ତିର ପରିବାରକୁ ଡିଜାଷ୍ଟର ମ୍ୟାନେଜମେଂଟ ଆକ୍ଟ ୨୦୦୫ ଅନୁଯାୟୀ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ସରକାରଙ୍କ ଠାରେ ବିଜେପି ବିଧାୟକମାନେ ଦାବୀ କରିଛନ୍ତି । ଓଡ଼ିଶା ସରକାର ରାଜନୈତିକ ଦୂରଭିସନ୍ଧି ରଖି ଓଡ଼ିଶାରେ କେନ୍ଦ୍ର ସହାୟତାରେ ପ୍ରଚଳିତ କେନ୍ଦ୍ର ପ୍ରାୟୋଜିତ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନ କରିବା ଫଳରେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଶାବାସୀ ଉତମସେବା ପାଇବାରୁ ବଂଚିତ ହେଉଛନ୍ତି । ବର୍ତମାନ କୋଭିଡ-୧୯ ଓ ପୋଷ୍ଟ କୋଭିଡ-୧୯ ସମୟରେ ରାଜ୍ୟ ବାସୀଙ୍କୁ ଉତମ ଚିକିତ୍ସା ଓ ସ୍ୱାସ୍ଥ୍ୟ ଭିତିଭୂମି ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ମଧ୍ୟ କେନ୍ଦ୍ରୀୟ ପ୍ରାୟୋଜିତ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବା ପାଇଁ ରାଜ୍ୟ ବାସୀଙ୍କ ତରଫରୁ ବିଜେପି ବିଧାୟକଦଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ବିଧାୟକ ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ଡ.ମୁକେଶ ମହାଲିଙ୍ଗ, ଭବାନୀ ଭୋଇ, ଡ.ବୁଧନ ମୁର୍ମୁ, ନବଚରଣ ମାଝୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.