ଔଷଧ କ୍ଷେତ୍ର ପାଇଁ ପିଏଲ୍ଆଇ ସ୍କିମ୍ ଲାଗୁ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଔଷଧପତ୍ର କ୍ଷେତ୍ର ବା ଫାର୍ମାସ୍ୟୁଟିକାଲ ଉଦ୍ୟୋଗକୁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଏଲ୍ଆଇ ଯୋଗାଇଦେବା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ୨୦୨୦-୨୧ ଆର୍ଥିକ ବର୍ଷରୁ ୨୦୨୮-୨୯ ବର୍ଷ ଯାଏଁ ଏହା ଲାଗୁ କରାଯିବ ।
ଏହି ଯୋଜନା ଦ୍ୱାରା ଘରୋଇ ଉତ୍ପାଦକ ବିଶେଷ ଉପକୃତ ହେବେ । ଏହାଦ୍ୱାରା ନିଯୁକ୍ତି ସୁବିଧା ସୃଷ୍ଟି ହେବା ସହ ଦେଶର ଖାଉଟିଙ୍କ ପାଇଁ ବିଭିନ୍ନ ପ୍ରକାର ଔଷଧପତ୍ର ସୁଲଭ ମୂଲ୍ୟରେ ଯୋଗାଇ ଦେଇହେବ ।
ଏହି ଯୋଜନା ମାଧ୍ୟମରେ ଦେଶରେ ଉଚ୍ଚମୂଲ୍ୟର ଔଷଧୀୟ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି । ଏହା ମଧ୍ୟ ଏ କ୍ଷେତ୍ରରେ ରପ୍ତାନୀ ବୃଦ୍ଧିରେ ସହାୟକ ହୋଇପାରିବ । ୨୦୨୨-୨୩ରୁ ୨୦୨୭-୨୮ ମଧ୍ୟରେ ଏହି ଉଦ୍ୟୋଗର କାରବାର ୨,୯୪,୦୦୦ କୋଟି ଟଙ୍କା ହେବା ସହିତ ମୋଟ ରପ୍ତାନୀ ପରିମାଣ ୧,୯୬,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ଏହି ଯୋଜନାରେ ଉଭୟ କୁଶଳୀ ଓ ଅଣକୁଶଳୀ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ । ଏହାଛଡା ପ୍ରତ୍ୟକ୍ଷଭାବେ ୨୦ ହଜାର ଏବଂ ପରୋକ୍ଷରେ ୮୦ ହଜାର ଲୋକ ଏହି ଉଦ୍ୟୋଗରେ ନିଯୁକ୍ତି ପାଇବାର ସୁଯୋଗ ପାଇବେ । ଏହି ଭେଷଜ ଉଦ୍ୟୋଗର ବିକାଶ ସହିତ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ । ଭାରତରେ ଏଭଳି କିଛି ବ୍ୟାଧି ରହିଛି ଯାହାର ଚିକିତ୍ସା ଅତ୍ୟନ୍ତ ଜଟିଳ ଏବଂ ବ୍ୟୟବହୁଳ । ସରକାରୀ ସହାୟତା ବିନା ଏସବୁର ଚିକିତ୍ସା ସମ୍ଭବ ହୁଏ ନାହିଁ । ରୋଜଗାର ନ ଥିବା ଲୋକଙ୍କୁ ରୋଗରୁ ରକ୍ଷା କରିବା ପାଇଁ ଏସବୁ ବ୍ୟୟବହୁଳ ଔଷଧ ଉତ୍ପାଦନ ପାଇଁ ଏହି ଯୋଜନାରେ ଗୁରୁତ୍ୱ ଦିଆଯିବ । ଏହା ଫଳରେ ଭାରତରେ ବହୁ ଲୋକ ଉପକୃତ ହେବେ । ଏହି ଯୋଜନା ଫଳରେ ଭାରତୀୟ ଔଷଧ ଉଦ୍ୟୋଗରେ ୧୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ବୋଲି ଆଶା କରାଯାଉଛି । ଭେଷଜ ଉଦ୍ୟୋଗର ସାମଗ୍ରିକ ବିକାଶ ପାଇଁ ମୁଖ୍ୟତଃ ଏହି ଯୋଜନାଟି ଉଦ୍ଦିଷ୍ଟ । ଏହା ଅଧୀନରେ ପୁଞ୍ଜି ନିବେଶ ବଢାଇ ନାନାବିଧ ଔଷଧ ଉତ୍ପାଦନ ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି । ଭେଷଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହିତ ରପ୍ତାନୀ ବୃଦ୍ଧି କରିବାକୁ ମଧ୍ୟ ଏଥିରେ ଲକ୍ଷ୍ୟ ରଖାଯାଇଛି ।