ପ୍ରଶାସନିକ ଅଧିକାରୀଙ୍କ ସହ ଚାନ୍ଦୋଳ ବଜାର କମିଟିର ବୈଠକ

148

ଡେରାବିଶ : ବହୁପୁରାତନ ଚାନ୍ଦୋଳ ହାଟ ଓ ବଜାର ଦିର୍ଘ ଦିନ ହେବ ଅବହେଳିତ ଅବସ୍ଥାରେ ପଡି ରହିଛି । ଏହି ବଜାର ଉପରେ ଆଖପାଖ ପନ୍ଦରଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି । ବିଭିନ୍ନ ସମସ୍ୟାର ବ୍ଲୁପ୍ରିଣ୍ଟ ନେଇ ଚାନ୍ଦୋଳ ବଜାର କମିଟି ପକ୍ଷରୁ ଫାଣ୍ଡି ଛକ ନିକଟସ୍ଥ କଳିଙ୍ଗ ଆବାସିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁଗ୍ମ ସଂପାଦକ ମିହିର ସାମଲ ଅତିଥି ପରିଚୟ ପ୍ରଦାନ କରି କମିଟିର ଆଭିମୁଖ୍ଯ ଉପରେ ଆଲୋକପାତ କରିଥିଲେ । କମିଟି ସଭାପତି ଶିବାଶିଷ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସାପ୍ତାହିକ ହାଟ ସମସ୍ୟା, ରାସ୍ତା ଜାମ, ପାନିୟଜଳ, ଆଲୋକୀକରଣ, ସୌଚାଳୟ ଓ ଜାନବାହାନ ପାଇଁ ପାର୍କିଂ ଆଦି ସମସ୍ୟା ଉପରେ କମିଟି ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସରକାରୀ ଜାଗା ଜବରଦଖଲ ଥିବାରୁ ଉନୟନ ମୂଳକ କାମରେ ବାଧା ଉପୁଜୁଥିବା ଉପଲବ୍ଧି କରି ଆବଶ୍ୟକ ମୁତାବକ ସରକାରୀ ଜାଗାକୁ ଚିହ୍ନଟ କରି ସୌଚାଳୟ ନିର୍ମାଣ କରାଯିବ ବୋଲି ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ନିରଞ୍ଜନ ବେହେରା କହିଛନ୍ତି । ପିଇବା ପାଣି ବ୍ୟବସ୍ଥା ସହ ସଫେଇ କାର୍ଯ୍ଯ ପାଇଁ ସମସ୍ତ ସୁବିଧା କରାଯିବ ବୋଲି ଡେରାବିଶ ବିଡିଓ ଗୋପବନ୍ଧୁ ଭୋସାଗର ପ୍ରତିଶୃତି ଦେଇଛନ୍ତି । ବଜାରର ମୁଖ୍ଯ ରାସ୍ତା ଉପରୁ ଅନ୍ୟତ୍ର ସୁବିଧା କରାଇ ଚାଷୀଙ୍କୁ ଥଇଥାନ କରିବା ନେଇ ନିୟନ୍ତିତ ବଜାର କମିଟି ସଂପାଦକ ଶ୍ରୀଯୁକ୍ତ ଅଜୟ କୁମାର ରାଉତ ପ୍ରସ୍ତାବ ଦେଇଛନ୍ତି । ବଜାରକୁ ସଲଗ୍ନ ଥିବା ୧୨ ନମ୍ବର କେନାଲ ସଫେଇ, ଭଙ୍ଗା ପୋଲ ନିର୍ମାଣ ଆଦି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜଳ ସେଚନ ବିଭାଗ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟ ।

ସେହିଭଳି ଆଇନ ଶୃଙ୍ଖଳା ଉପରେ ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୌମ୍ୟରଞନ ପାଣିଗ୍ରାହୀ ଓ ଆଞ୍ଚଳିକ ସମସ୍ୟା ନେଇ ଚାନ୍ଦୋଳ ପଞ୍ଚାୟତ ସରପଞ୍ଚ ଅନ୍ନପୂର୍ଣା ସଡଙ୍ଗୀ ଆଦି ଆଲୋଚନାରେ ଭାଗ ନେଇଥିଲେ । ତତ୍କାଳୀନ ସେବା ଯୋଗାଇ ଦେବା ସହ କୋଭିଡ ମହାମାରୀ ସମୟରେ ନିଶ୍ଚିତ କୋଇଲି ଅଗ୍ନିଶମ ବିଭାଗ ର କାର୍ଯ୍ୟକୁ ପ୍ରଶଂସା କରି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଜାର କମିଟିର ସଂପାଦକ ପ୍ରସାନ୍ତ ସାହୁ, କୋଷାଧ୍ୟକ୍ଷ ବିଶ୍ବମୋହନ ଦାସ ଆଦି ସଭା ପରିଚାଳନା ରେ ସହଯୋଗ କରିଥିଲେ। ଉକ୍ତ ବୈଠକରେ କମିଟିର ଉପଦେଷ୍ଠା ପ୍ରମୋଦ ସାହୁ, ମନୋଜ କୁମାର ପ୍ରଧାନ, ଦେବାଶିଷ ବେହେରା,ଲଲାଟେନ୍ଦୁ ନାୟକ , ବିଚିତ୍ରାନନ୍ଦ ନାୟକ, କୈଳାସ ବେହେରା,ଉମେଶ ଚନ୍ଦ୍ର ପଣ୍ଡା।, ବ୍ରଜ କିଶୋର ବେହେରା, ଦେବରାଜ ମହାପାତ୍ର ଆଦି ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.