କନ୍ଧମାଳ : କନ୍ଧମାଳରେ ୮୩୯ କୋଟି ୧୫ ଲକ୍ଷ ଟଙ୍କାର ୨୭୪ ଟି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି । ୧୨ଟି ବ୍ଲକ ଓ ୩ ପୌରାଞ୍ଚଳରେ ୧ ଲକ୍ଷ ୭୯ ହଜାର ୯୭୦ ପରିବାରର ୬ ଲକ୍ଷ ୪୮ ହଜାର ୯୧୯ ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ୫ ଦିନ ମଧ୍ୟରେ ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କନ୍ଧମାଳ ପାଇଁ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ତେବେ ଏହିସବୁ କାର୍ଡ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ବାଣ୍ଟିବାକୁ ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନିଜ ହାତରେ କିଛି ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଛନ୍ତି । କାର୍ଡ ବାଣ୍ଟିବା ପାଇଁ ମନ୍ତ୍ରୀ ଓ ସାଂସଦଙ୍କୁ ଦାୟିତ୍ବ ଦିଆଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ. ପାଣ୍ଡିଆନ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ତୁଷାରକାନ୍ତି ବେହେରା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିୟାନ, ରଘୁନାଥ ଦାସ, ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ଚକ୍ରମଣି କହଁର, ସାଲୁଗା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଯାହାକୁ ନେଇ ଖୁସି ପ୍ରକଟ କରିଛନ୍ତି ସ୍ମାର୍ଟକାର୍ଡ ପାଇଥିବା ମହିଳାମାନେ । ଅନ୍ୟପଟେ ଜିଲ୍ଲାରେ ମୋଟ୍ ୮୩୯ କୋଟି ୧୫ ଲକ୍ଷ ଟଙ୍କାର ୨୭୪ ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସହରାଞ୍ଚଳ ବିକାଶ କ୍ଷେତ୍ରରେ ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଏବଂ ଅନ୍ୟାନ୍ୟ ଭିତିଭୂମି ବିକାଶ ପାଇଁ ୨୩ ଟି ପ୍ରକଳ୍ପରେ ୩୬ କୋଟି ୩ ଲକ୍ଷ, ମିଶନ ଶକ୍ତି ପାଇଁ ୧୨ ଟି ପ୍ରକଳ୍ପରେ ୫ କୋଟି ୫୩ ଲକ୍ଷ, ମେଗା ପାଇପ ପାନୀୟ ଜଳ ଯୋଗାଣ ପାଇଁ ୨ଟି ପ୍ରକଳ୍ପ ରେ ୫୬୮ କୋଟି ୪୪ ଲକ୍ଷ ଓ ସେତୁ ନିର୍ମାଣ ପାଇଁ ୮ ଟି ପ୍ରକଳ୍ପରେ ୨୯ କୋଟି ୪୬ ଲକ୍ଷ ବ୍ୟୟବରାଦ ରହିବା ସହ ଭିତିପ୍ରସ୍ତର ସ୍ଥାପନ ହୋଇଛି । ସେହିପରି ଜଳ ସେଚନ ପ୍ରକଳ୍ପ ପାଇଁ ୨ ଟି ପ୍ରକଳ୍ପ ରେ ୪୮ ଲକ୍ଷ, ସ୍ୱାସ୍ଥ୍ୟ ସେବା ଓ ବିଦ୍ୟୁତ ଶକ୍ତି ଭିତିଭୂମି ବିକାଶ ପାଇଁ ୨ ଟି ପ୍ରକଳ୍ପ ରେ ୪୪ କୋଟି ୮୧ ଲକ୍ଷ, ରାସ୍ତା, କୋଠାବାଡି ଏବଂ ସେତୁ ପାଇଁ ୩୪ ଟି ପ୍ରକଳ୍ପରେ ୧୩୯ କୋଟି ୫୧ ଲକ୍ଷ ଓ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ପାଇଁ ୧୮୯ ଟି ପ୍ରକଳ୍ପ ରେ ୧୧ କୋଟି ୫୦ ଲକ୍ଷ , ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।