ଚୀନ୍ ର ନୂଆ ଷଡ଼ଯନ୍ତ୍ର: ଅରୁଣାଚଳରେ ତିଆରି କରୁଛି ଗାଁ

168

ନୂଆଦିଲ୍ଲୀ: ବିସ୍ତାରବାଦୀ ଚାଇନାର ଆଉ ଏକ ସାଂଘାତିକ ଷଡ଼ଯନ୍ତ୍ର । ଭାରତର ଅରୁଣାଚଳ ପ୍ରଦେଶକୁ ନିଜର କହୁଥିବା ଚାଇନା ଏବେ ସେଠାରେ ଅନୁପ୍ରବେଶ କରିଛି । ଖାଲି ଅନୁପ୍ରବେଶ କରିନାହିଁ, ବରଂ ଅରୁଣାଚଳରେ ଚାଇନା ପକ୍ଷରୁ ଗାଁ ମଧ୍ୟ ତିଆରି କରାଯାଉଛି । ଏହି ଗାଁରେ ପ୍ରାୟ ୧୦୧ଟି ଘର ରହିଛି । ଏବେ ସାମ୍ନାକୁ ଆସିଥିବା ସାଟେଲାଇଟ୍ ଛବିରୁ ଚାଇନାର ଏହି ନୂଆ ଭେଳିକି ସମ୍ପର୍କରେ ତଥ୍ୟ ମିଳିଛି । ୨୦୨୦ ନଭେମ୍ବର ୧ରେ
ସାମ୍ନାକୁ ଆସିଥିବା ସାଟେଲାଇଟ୍ ଛବିକୁ ବିଭିନ୍ନ ବିଶେଷଜ୍ଞମାନେ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡ଼ିଛି ଯେ ଭାରତ ଓ ଚାଇନା ସୀମାରେ ବେଜିଂ ପକ୍ଷରୁ ଅନୁପ୍ରବେଶ କରାଯାଇଛି । ଚାଇନା ଭାରତୀୟ ସୀମାର ୪.୫ କିମି ଭିତରକୁ ଜୋରଜବରଦସ୍ତି ପ୍ରବେଶ କରିଛି । ଏଠାରେ ପ୍ରବେଶ କରିବା ପରେ ଅତ୍ୟନ୍ତ ଗୁପ୍ତ ଭାବେ ଗାଁ ମଧ୍ୟ ନିର୍ମାଣ କରୁଛି । ଯାହା ଭାରତର ଚିନ୍ତାକୁ ବଢ଼ାଇ ଦେଇଛି । ଭାରତ ଓ ଚାଇନା ମଧ୍ୟରେ ଏହି ଅଞ୍ଚଳରେ ଥିବା ଉପର ସୁବାନସିରି ଜିଲ୍ଲାକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି । ଏଠାରେ ପ୍ରବାହିତ ହେଉଥିବା ଟିସାରି ଛୁ ନଦୀ କୂଳରେ ହିଁ ଚାଇନା ଅନୁପ୍ରବେଶ କରି ବେଧଡ଼କ ଗାଁ ନିର୍ମାଣ କରିଛି । ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ହିମାଳୟର ଇଷ୍ଟର୍ଣ୍ଣ ରେଞ୍ଜରେ ଚାଇନାର ଏଭଳି ବିସ୍ତାରବାଦୀ ନୀତି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ୨୦୨୦ ଜୁନ୍ ୧୫ରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଭାରତର ଆକ୍ରମଣରେ ଏକାଧିକ ଚାଇନା ଯବାନ ମଧ୍ୟ ପ୍ରାଣ ହରାଇଥିଲେ । ହେଲେ ଚାଇନା ପ୍ରକୃତରେ କେତେ ସଂଖ୍ୟକ ସୈନ୍ୟ ପ୍ରାଣ ହରାଇଛନ୍ତି, ତା’ର ତଥ୍ୟ ଏଯାଏ ସାର୍ବଜନୀନ କରିନାହିଁ ।

Leave A Reply

Your email address will not be published.