ରାଉରକେଲା : ରାଜ୍ୟରେ ନକଲି ମେଡିସିନ କମ୍ପାନୀ ଚାଲିଥିବା ନେଇ ତଦନ୍ତ ଚାଲିଥିବା ବେଳେ କଟକରେ ଚାଂଚଲ୍ୟକର ଖବର ସହ ଏକ କମ୍ପାନୀର ସନ୍ଧାନ ମିଳିବାପରେ ଆଜି ରାଉରକେଲାରେ ନକଲି ମେଡିସିନ କାରବାରର ସନ୍ଧାନ ମିଳିଛି । ଏନେଇ ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କ ଅଫିସ ଅଧିନରେ ଥିବା ଭେଷଜ ନୀରିକ୍ଷକ ଚଢଉ ଜାରୀ ରଖିଛନ୍ତି । ରାଉରକେଲାରେ ଏହା ପ୍ରଥମ ମାମଲା ନୁହେଁ, ଏଠାରେ ବିନା ଡ୍ରଗ ଲାଇସେନ୍ସରେ ମେଡିସିନ ଦୋକାନ ଚାଲିବା ସହ କଲିକତାରୁ ବହୁ ନକଲି ମେଡିସିନ ଆସି ବିକ୍ରୀ ହେବା ଏବଂ ଖୋଦ୍ ସହରର ଗଳି ଅଂଚଳରେ ମଧ୍ୟ ନକଲି ମେଡିସିନ ତିଆରି ହୋଇ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ ହେଉଥିବାର ଖବର ରହିଛି ।
ମାତ୍ର ଏଠାରେ ନିଯୁକ୍ତ ହେଉଥିବା ଡ୍ରଗ୍ସ ନୀରିକ୍ଷକ ମାନେ ଠିକ୍ ଭାବେ ସେମାନଙ୍କ ଦାୟୀତ୍ୱ ସମ୍ପାଦନ କରୁନଥିବା କାରଣରୁ ଏଠାରେ ମେଡିସିନ କାରବାର କାହାର ନିୟନ୍ତ୍ରଣରେ ନାହିଁ । ଭଗବାନଙ୍କ ଭରଷାରେ ଲୋକେ ମେଡିସିନ ଖାଉଛନ୍ତି । ଏହି ସବୁ ମେଡିସିନ ବିଶେଷ କରି ବସ୍ତି, ଗାଁ ଗହଳି ଓ ଦୁନିଆକୁ ଭଲ ଭାବେ ଜାଣୁ ନଥିବା ଲୋକଙ୍କ ଗହଣରେ ବିକ୍ରୀ କରାଯାଉଛି । ଏସବୁ ମେଡିସିନ ଖାଇ ଲୋକେ ମରିଗଲେ ବି ସେ ନେଇ କୌଣସି ମାମଲା ହେବା ପୂର୍ବରୁ ସବୁ କିଛି ରଫା ଦଫା କରିଦିଆଯାଉଥିବା ଖବର ମିଳିଛି । ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାରେ ମେଡିସିନ ଦୋକାନ ସଂଖ୍ୟା ଯାହା ରହଛି ସେଥିମଧ୍ୟରୁ ଦୋକାନ ସହ ବିନା ପାଠରେ ମେଡିସିନ ଦେଉଥିବା ଡାକ୍ତରଙ୍କ ସଂଖ୍ୟା ଅନେକ । ଏମାନେ ଦିନ ରାତି ଏଭଳି କାରବାର ଚଳାଉଥିଲେ ମଧ୍ୟ ଆମ ବ୍ୟବସ୍ଥା ସବୁ ଦେଖି ନୀରବ । ମେଡିସିନ ଦୋକାନ ଗୁଡିକରେ ମେଡିସିନ ଦିଆଗଲା ବେଳେ ବିଲ୍ ଆଦୌ ଦିଆନଯିବା ସହ ଏସବୁ ଅଂଚଳରେ ଡାକ୍ତରଙ୍କ ବିନା ଲେଖାରେ ମେଡିସିନ ବିକ୍ରୀ ସର୍ବାଧିକ । ସବୁ ପ୍ରକାର ବେଆଇନ କାରବାର ସହ ଏଠାରେ ମେଡିସିନ ବିକା ଚାଲିଥିବା ସହ ଏବେ ନକଲି ମେଡିସିନ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କଟକ ଖବର ପରେ ଆଜି ରାଉରକେଲାର ୩ଟି ଦୋକାନ ହୋଲସେଲ ଉପରେ ଚଢଉ ଜାରୀ ରହିଛି ବୋଲି ସୂଚନା ମିଳିଛି ।
ତେବେ ନକଲି କାରବାର ନେଇ ଭେଷଜ ବିଭାଗ ରାଜ୍ୟରେ ଆଜି ଯାଏ ସେଭଳି ଉଦାହରଣ ମୂଳକ ପଦକ୍ଷେପ ନେଇ ନଥିବାରୁ ଏହି ସବୁ ଚଢଉ ଓ ଧରପଗଡର ଫଳା ଫଳ କଣ ହେବ ତାହା ସନ୍ଦେହ ଘେରରେ ରହିଛି । ରାଜ୍ୟରେ ଥିବା ଭେଷଜ ନିୟନ୍ତ୍ରକ ବିଭାଗର ଉପରୁ ତଳ ଯାଏ ସମସ୍ତେ ଗୋଟିଏ ଲାଇନରେ ଥିବାରୁ ତାହାର ଫାଇଦା ନକଲି ଓ ଅସଲି ମେଡିସିନ କମ୍ପାନୀ ମାନେ ଅଧିକରୁ ଅଧିକ ନେଇଥାନ୍ତି । କାରଣ ଆମ ଦେଶରେ ଲୋକେ ମେଡିସିନକୁ ଭଲ ଭାବେ ବୁଝନ୍ତି ନାହିଁ, ଡାକ୍ତରଙ୍କ ଭରଷାରେ ମେଡିସିନ ଖାଇଥାନ୍ତି । ରାଜ୍ୟ ଭେଷଜ ବିଭାଗ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ନିୟମିତ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ସହରରୁ ମେଡିସିନ ଗୁଡିକର ସାମ୍ପଲ ନିଆଯାଇଥାଏ ବୋଲି ବିଭାଗ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥାଏ । ହେଲେ ସେହି ପରୀକ୍ଷାରୁ ଆଜି ଯାଏ ରାଜ୍ୟର କଟକ ଓ ରାଉରକେଲାରୁ ନକଲି ଓ ବିଶାକ୍ତ ତଥା ସ୍ପୁରିଅସ ମେଡିସିନ ବାହାରିବା, ସେହି ମେଡିସିନ ଦୋକାନ ସହ ସେହି କମ୍ପାନୀ ବିରୋଧରେ ଗୋଟିଏ ହେଲେ ମାମଲା ହେବା ଦେଖାଯାଇ ନାହିଁ କିମ୍ବା ଶୁଣା ଯାଇ ନାହିଁ, ଯାହା ଫଳରେ ଏଭଳି ନକଲି, ସ୍ପୁରିଅସ ମେଡିସିନ କାରବାର ରାଜ୍ୟରେ ବଢି ଚାଲିଛି । ଏଭଳି କାରବାର ନେଇ ରାଜ୍ୟ ଡ୍ରଗ୍ସ କଂଟ୍ରୋଲର, ବିଭାଗୀୟ ମନ୍ତ୍ରୀ ମଧ୍ୟ ନିରବ । ମେଡିସନ କାରବାର ଭିତରେ ଏଭଳି ନକଲି କାରବାର ଆଜିକାଲି ବେଶ ଲାଭଜନକ କାରବାର ହୋଇଥିବାରୁ ଏଭଳି କାରବାର ଦିନକୁ ଦିନ ବଢୁଛି ଓ ଲୋକଙ୍କ ଜୀବନ ବିପଦରେ ପଡୁଛି ।