ଦେଶରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ : ୫ ଦିନରେ ଛୁଇଁଲା ୧ ଲକ୍ଷ
ନୂଆଦିଲ୍ଲୀ : ପ୍ରଥମେ ୨୦ ହଜାର, ତା’ ପରେ ୨୨ ହଜାର ଓ ଶେଷରେ ଆଜି ଦେଶର ଦୈନିକ ସଂକ୍ରମଣ ୨୩ ହଜାର ପାର କରିଛି । ପ୍ରତିଦିନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର ବିଷୟ ପାଲଟିଛି । ସ୍ଥିତିକୁ ଦେଖି କିଛି ସ୍ଥାନରେ ଲକ୍ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଉଛି । ତଥାପି ସଂକ୍ରମଣ ଉପରେ ବ୍ରେକ ଲାଗୁନାହିଁ । ବିଶେଷ କରି ମହାରାଷ୍ଟ୍ରରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।
ଏହି କାରଣରୁ ଦେଶରେ ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ଥିତିକୁ ଦେଖି ମହାରାଷ୍ଟ୍ର ସରକାର ନାଗପୁରରେ ଲକ୍ଡାଉନ୍ କରିଛନ୍ତି । ସେହିପରି ଗତକାଲିଠାରୁ ଔରଙ୍ଗାବାଦ୍ରେ ନାଇଟ୍ କର୍ଫ୍ୟୁ ଆରମ୍ଭ କରାଯାଇଛି । କେନ୍ଦ୍ରୀୟ ଟିମ୍ ମଧ୍ୟ ମହାରାଷ୍ଟ୍ର ସ୍ଥିତି ଉପରେ ନଜର ରଖିଥିବା କହିଛି । ସବୁ ପ୍ରକାର ପଦକ୍ଷେପ ସତ୍ତେ୍ୱ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତାକୁ ବଢ଼ାଇ ଦେଇଛି ।
ଏହି କାରଣରୁ ମହାରାଷ୍ଟ୍ର ସରକାର ଆଗକୁ ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୩,୨୮୫ ଜଣଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହାକୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୩, ୦୮,୮୪୬ରେ ପହଞ୍ଚି ଯାଇଛି । ଏମାନଙ୍କ ମଧ୍ୟରୁ ୧,୦୯,୫୩,୩୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିନକରେ କେବଳ ୧୫,୧୫୭ ଜଣ ସୁସ୍ଥ ହୋଇଛନ୍ତି । ଏହାର ଅର୍ଥ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୧,୯୭,୨୩୭ ରହିଛି । ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୧୭ ଜଣଙ୍କ ମୁଣ୍ଡ ନେଇଛି । ଫଳରେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୫୮,୩୦୬ ରହିଛି । ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ମୋଟ ୨,୬୧,୬୪,୯୨୦ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି ।