ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା କଟକ ଓ ଖୋର୍ଦ୍ଧା ଜିଲ୍ଲା

285

-କଟକର ୧୮ ଲକ୍ଷ ଓ ଖୋର୍ଦ୍ଧାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା
-ବିଶ୍ୱନାଥ ପଣ୍ଡିତ ପାଠାଗାରକୁ ଅତ୍ୟାଧୁନିକ କରାଯିବ – ମୁଖ୍ୟମନ୍ତ୍ରୀ
-କଟକରେ ୧୫୦୦ କୋଟି ଓ ଖୋର୍ଦ୍ଧାରେ ୧୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । କଟକର ୧୮ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୨୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇସାରିଲେଣି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାରେ ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ନିଦର୍ଶନ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ । ସ୍ୱାସ୍ଥ୍ୟ ହିଁ ସମ୍ପଦ । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି କାର୍ଡ ରକ୍ଷା କବଚ ଭଳି ସେବା ଯୋଗାଇ ଚାଲିବ ବୋଲି ସେ କହିଥିଲେ । କଟକର ଏସସିବି ମେଡିକାଲ କଲେଜ କୁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଭାବରେ ଗଢିବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଂଟ ହୋଇ ରହିବ । କଟକବାସୀଙ୍କ ପ୍ରିୟ ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ବିଶ୍ୱନାଥ ପଣ୍ଡିତ ସେଂଟ୍ରାଲ ଲାଇବ୍ରେରୀକୁ ପୁରୀ-ଅନୁଗୁଳ ବସ୍ଷ୍ଟାଣ୍ଡ ନିକଟରେ ପୁନଃସ୍ଥାପିତ କରାଯାଇ ଏକ ଅତ୍ୟାଧୁନିକ ଲାଇବ୍ରେରୀ ଭାବରେ ନିର୍ମାଣ କରାଯିବ ।

ସେହିପରି ବେଗୁନିଆଠାରେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଖୋର୍ଦ୍ଧା ମାଟି ହେଉଛି ପ୍ରଥମ ସ୍ୱାଧୀନତା ସଂଗ୍ରାମର ଭୂମି । ଓଡିଆ ସ୍ୱାଭିମାନ ପାଇଁ ଲଢେଇ କରିଥିବା ବୀର ପାଇକମାନଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଜାତିକୁ ତାର ହକ୍ ଦେବା ପାଇଁ ଆମର ଲଢେଇ ଜାରି ରହିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମାଆମାନେ ହେଉଛନ୍ତି ନୂଆ ଯୁଗର ସାରଥୀ । ଖୋର୍ଦ୍ଧାର ମିଶନ ଶକ୍ତିର ମାଆମାନେ ଭଲ କାମ କରୁଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଖୋର୍ଦ୍ଧାରେ ୨୬ ହଜାରରୁ ଅଧିକ ମିଶନ ଶକ୍ତିର ମାଆମାନେ ୩୨ କୋଟିରୁ ଅଧିକ ଟଙ୍କା ଋଣ ନେଇ ସାରା ରାଜ୍ୟରେ ରେକର୍ଡ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ କଟକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଂଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟରେ ବିକାଶର ନୂତନ ଧାରା ସାରା ଦେଶକୁ ରାସ୍ତା ଦେଖାଇଛି ବୋଲି ସେମାନେ କହିଥିଲେ । ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଡି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.