ବିପଦପୂର୍ଣ୍ଣ ଭାବେ ଭଙ୍ଗା ଡ଼ଙ୍ଗାରେ ଜଳଯାତ୍ରା, ପ୍ରଶାସନ ନୀରବ

164

ମାଲକାନଗିରି : ଭରା ନଇକୁ ଭଙ୍ଗା ଡଙ୍ଗା, ଜୀବନକୁ ବାଜି ଲଗାଇ ନଉକା ଯାତ୍ରା । ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଳକର ସୀମାକୁ ଭାଗ କରୁଥିବା ପୋଟେରୁ ନଦୀର ଏକାଧିକ ସ୍ଥାନରେ ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବୀ ହୋଇ ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ମାନେ ନାନା ସମସ୍ୟା ଭୋଗୁଛନ୍ତି । ମୁଖତଃ ପଡିଆ ବ୍ଳକର ଶିମିଳିବାଞ୍ଛା, ଗିରିକାନପଲ୍ଲୀ ଓ ଉଣ୍ଡୁରୁକୋଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ନଦୀ ଆରପଟେ ଥିବା କାଲିମେଳା ବ୍ଳକର ତାଣ୍ଡବାଈ, ଭୁବନପଲ୍ଲୀ, ଟିଗଲ, ନାଲାଗୁଣ୍ଠି ଆଦି ଗ୍ରାମ ପଞ୍ଚାୟତ ସହ ସ୍ୱାସ୍ଥ୍ୟଗତ, ବ୍ୟବସାୟିକ ତଥା ସାମାଜିକ ସମ୍ପର୍କ କରିଛନ୍ତି । ଏଥିପାଇଁ ଦୈନଦିନ ଯାତାୟତ ଆବଶ୍ୟକ ପଡୁଥିବା ବେଳେ କନ୍ୟାଶ୍ରମ ପୋଲ ବ୍ୟତୀତ ଏହି ସୀମାରେ କୌଣସି ପୋଲ ନଥିବାରୁ ସ୍ଥାନୀୟ ଲୋକ କାଠ ଡଙ୍ଗା ସାହାଯ୍ୟରେ ବିପଦ ସଙ୍କୁଳିତ ଅବସ୍ଥାରେ ନଦୀ ପାର ହେଉଥିବା ଦେଖିବାକୁ ମିଳୁଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ନଦୀ ଘାଟ ଗୁଡିକୁ ମୋଟର ଚାଳିତ ବୋଟ ଯୋଗାଇ ଦିଆଯାଇଛି । ହେଲେ ଅଧିକାଂଶ ଘାଟରେ ବୋଟ ରକ୍ଷଣା ବେକ୍ଷଣ ଅଭାବରୁ ଖରାପ ହୋଇପଡିଛି । ସାବେରୀ ନଦୀ କୂଳରେ ଥିବା ଗିରିକାନପଲ୍ଲୀ, ବାଲମପଲ୍ଲୀ ଓ ପୁଟୁମପଲ୍ଲୀ ଘାଟରେ ଥିବା ଡଙ୍ଗାରେ ବିପଦ ପୂର୍ଣ୍ଣ ଭାବେ ଅଞ୍ଚଳବାସୀ ନଦୀ ପାର ହେଉଥିବା ବେଳେ ଏମପିଭି ୬୯ ନିକଟ ନଦୀରେ ଡଙ୍ଗା ଭାଙ୍ଗି ଯାଇଥିବା ସତ୍ତ୍ୱେ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି । ଏମପିଭି ୬୯( ସୋନାଲି ଗାଁ)ନିକଟସ୍ଥ ଡଙ୍ଗା ଘାଟରେ ଥିବା ଡଙ୍ଗା ଭାଙ୍ଗି ଯାଇଥିବା ବେଳେ ଡଙ୍ଗା ଚାଳକ ଜଣକ ଡଙ୍ଗାର ଗୋଟିଏ ପାର୍ଶ୍ଵରେ ପଥର ଓ ଅନ୍ୟପଟେ ପଟ୍ଟା ବାନ୍ଧି ଡଙ୍ଗାକୁ ସମତୁଲ କରି ଚଳାଉଥିବା ଦେଖିବାକୁ ମିଳିଛି । ଏଭଳି ଭଙ୍ଗା ଦଦରା ଡଙ୍ଗାରେ ଦୈନିକ ଶହ ଶହ ଲୋକ ଓ ମୋଟର ସାଇକଲ ପାର କରାଯାଉଥିବା ବେଳେ ପ୍ରଶାସନକୁ ଏ ନେଇ ବାରମ୍ଵାର ଅବଗତ କରାଯାଉଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଡଙ୍ଗା ଚାଳକ କହିଛନ୍ତି । ଏଭଳି ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ସ୍ୱଇଚ୍ଛାରେ କେହି ଯାତାୟତ କରୁ ନଥିବା ବେଳେ ଉପାୟ ଶୂନ୍ୟ ହୋଇ ଲୋକେ ଏଭଳି ପାର ହେବାକୁ ବାଧ୍ୟ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି ।

ଅନ୍ୟପଟେ ଏ ବାବଦରେ ଶିମିଳିବାଞ୍ଛା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦୁର୍ଯ୍ୟଧନ ନାୟକଙ୍କୁ ପଚାରିବାରୁ ସେ ଏ ବାବଦରେ ଖବର ପାଇବା ପରେ ଡଙ୍ଗା ମରାମତି ସହ କୁର୍ତ୍ତୀ ଘାଟରେ ଥିବା ଅଚଳ ଡଙ୍ଗାକୁ ଏହି ଘାଟରେ ବ୍ୟବହାର ପାଇଁ ଚିଠି କରିଥିବା କହିଛନ୍ତି । ତେବେ ଦୀର୍ଘ ବର୍ଷ ଧରି ଏହି ନଦୀରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକ ପ୍ରଶାସନ ନିକଟରେ ଦାବୀ କରିବା ପରେ ଗତବର୍ଷ ଠାରୁ ପୁଟୁମପଲ୍ଲୀ ଠାରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଏହି ପୋଲ କାମ ମନ୍ଥର ଗତିରେ ଚାଲୁଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.