ଡେ଼ଲ୍ଟା ଭାରିଏଣ୍ଟ ଆତଙ୍କ

160

ଭୁବନେଶ୍ୱର : କରୋନାର ଏକ ନୂଆ ଭାରିଏଣ୍ଟ (ଯାହାକୁ କୁହାଯାଉଛି ଡେ଼ଲ୍ଟା ଭାରିଏଣ୍ଟ )ଏବେ ସମଗ୍ର ବିଶ୍ୱରେ ଡାକ୍ତର ଓ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (ସିଡିସି)ଏହାକୁ ‘ଭାରିଏଣ୍ଟ ଅଫ କସନ’ ବା ବିପଦଯୁକ୍ତ ପ୍ରତିରୂପ ବୋଲି ଅଭିହିତ କରିଛି । ଏମିତିତ ଏହି ଭାରିଏଣ୍ଟଟି ଅନେକ ଦେଶରେ ଆସ୍ଥାନ ଜମାଇ ସାରିଲାଣି।କିନ୍ତୁ ବ୍ରିଟେନରେ ଏହା ଜବରଦସ୍ତ ହଙ୍ଗାମା ଚଳାଇଛି।ପବ୍ଲିକ ହେଲଥ ଇଂଲଣ୍ଡ ବା ପିଏଚଇର ଆକଳନ ଓ ତଥ୍ୟ ଅନୁସାରେ ସେହି ଦେଶରେ ଯେତେ ସାମ୍ପୁଲ ସଂଗ୍ରହ କରାଯାଇଛି ତାହାର ୬୧ ପ୍ରତିଶତ ହେଉଛି ଡେ଼ଲ୍ଟା ଭାରିଏଣ୍ଟ । ଏହାର ଅର୍ଥ ଗତବର୍ଷ ଆତଙ୍କ ସୃଷ୍ଟି କରିଥିବା ଆଲଫା ଭାରିଏଣ୍ଟ ଠାରୁ ଡେ଼ଲ୍ଟା ଭାରିଏଣ୍ଟ ଆହୁରି ବିପଜ୍ଜନକ ଭାବେ ସାମ୍ନାକୁ ଆସିଛି।କହିବା ଅନାବଶ୍ୟକ ଯେ ,ସେତେବେଳେ ଏକ ନିର୍ଦ୍ଦିଷ୍ଟ ଭାରିଏଣ୍ଟକୁ ଚିନ୍ତାଜନକ ଶ୍ରେଣୀରେ ଗଣାଯାଏ ଯେତେବେଳେ ତାର ସଂକ୍ରମଣ କ୍ଷମତା ବୃଦ୍ଧି ପାଇଥାଏ ଓ ଏଥିରୁ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ହସ୍ପିଟାଲରେ ଦାଖଲ କରିବାକୁ ପଡ଼ିଥାଏ । ଏହି ଦୁଇଟିଯାକ ଉପାଦାନରେ ବଳିଷ୍ଠ ଡେ଼ଲ୍ଟା ଭାରିଏଣ୍ଟ କେବଳ ବ୍ରିଟେନ ନୁହେଁ ଭାରତ ସମେତ ସମଗ୍ର ବିଶ୍ୱରେ ବିପଦ ପରିସ୍ଥିତି ସୃଷ୍ଟି କରିଛି।ଉଲ୍ଲେଖଯୋଗ୍ୟ ଯେ, ନୂଆ ଭାରିଏଣ୍ଟର ଉତ୍ପତ୍ତି କେବଳ ଡେ଼ଲ୍ଟାରେ ସୀମିତ ନୁହେଁ।ଏହାର ଆଉ ଏକ ପରିଷ୍କୃତ ରୂପ ବି ଆସିଯାଇଛି ଯାହାକୁ ଡେ଼ଲ୍ଟା ପ୍ଲସ କୁହାଯାଉଛି ।

ଭାରତରେ ଏହି ଭାରିଏଣ୍ଟର ରୋଗୀ ଏତେ ବେଶୀ ସଂଖ୍ୟାରେ ନାହାଁନ୍ତି।ତେବେ ମହାରାଷ୍ଟ୍ର ଭଳି ରାଜ୍ୟରେ ବେଶ କିଛି ରୋଗୀ ଆସିଲେଣି।ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ଓ ଭାରତ ସରକାର ଉଭୟେ ଘୋଷଣା କରିଛନ୍ତି ଯେ ଡେ଼ଲ୍ଟା ପ୍ଲସ ଭାରିଏଣ୍ଟ କରୋନାର ତୃତୀୟ ଲହରର କାରଣ ହୋଇପାରେ । ସ୍ୱାଭାବିକ ଭାବରେ, ଏହି ତୃତୀୟ ଲହରକୁ ସାମ୍ନା କରିବା ପାଇଁ ଓଡ଼ିଶା ସରକାରଙ୍କ ସମେତ ବହୁ ରାଜ୍ୟ ସରକାର ଓ କେନ୍ଦ୍ର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।ଅବଶ୍ୟ ଏସବୁ ପ୍ରସ୍ତୁତିର ପରୀକ୍ଷା ଫଳ ଲହର ଆସିବା ପରେ ହିଁ ଜଣାପଡ଼ିବ । ସରକାରଙ୍କ ପ୍ରସ୍ତୁତି ପ୍ରଣାଳୀ କେତେ ତ୍ରୁଟିଶୂନ୍ୟ ତାହା ଜଣାପଡ଼ିବ କେତେ ଲୋକ ଏହି ନୂଆ ଭାରିଏଣ୍ଟ ସଂକ୍ରମଣର ଶିକାର ହେଉଛନ୍ତି ଓ କେତେ ପରିମାଣରେ ଏହି ପ୍ରାକ-ପ୍ରସ୍ତୁତି ତୃଣମୂଳ ସ୍ତରକୁ ପହଞ୍ଚି ପାରୁଛି । ତେବେ ସରକାରଙ୍କ ପ୍ରସ୍ତୁତି ଅପେକ୍ଷା ଲୋକଙ୍କ ମନରେ ଏହା ବରାବର ରହିବା ଦରକାର ଯେ କରୋନା ବିରୁଦ୍ଧରେ ଲଢେଇ କେବଳ ସରକାର ମାନଙ୍କ କାମ ନୁହେଁ, ଏହା ପ୍ରତିଟି ନାଗରିକର ଦାୟିତ୍ୱ ମଧ୍ୟ । ଏହି ଲଢ଼େଇରେ ଆମକୁ ସଫଳତା ମିଳିବ ଯେତେବେଳେ ସମସ୍ତ ପ୍ରକାର କଟକଣା ଓ ପ୍ରତିବନ୍ଧକକୁ ଆମେ ମାନିବା।ନିଜେ ସଜାଗ ରହିବା ସହ ସରକାର ମାନଙ୍କ ପଦକ୍ଷେପକୁ ସହାୟତା ଯୋଗାଇ ଦେବା ନିହାତି ଆବଶ୍ୟକ ଏଥିରେ ଦ୍ବିମତ ନାହିଁ।ବିଶେଷଜ୍ଞଙ୍କ ମତରେ ଏବେ ପର୍ଯ୍ୟନ୍ତ ଯେତେ ନିରୀକ୍ଷଣ କରାଯାଇଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହି ଡେ଼ଲ୍ଟା ଭାରିଏଣ୍ଟକୁ କାବୁ କରିବାରେ ସମୂହ ଟୀକାକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ବର୍ତ୍ତମାନ ଦେଶରେ ଯେଉଁ ଟୀକାକରଣ ପ୍ରକ୍ରିୟା ଚାଲିଛି ତାହା ଆଗାମୀ ଦିନରେ ଜୋର ଧରିବା ନିଶ୍ଚିତ।ଏହି ପରିସ୍ଥିତିରେ ସାଧାରଣ ଲୋକଙ୍କ ସହଯୋଗ ଦୁଇ ପ୍ରକାରର ହେବା ଉଚିତ।ପ୍ରଥମ, ଟୀକା ନେବା ପାଇଁ ଯେଉଁ ଉଦାସୀନତା ମନୋଭାବ ପୋଷଣ କରାଯାଉଛି ତାହାକୁ ଲିଭାଇ ଦିଆଯିବା ଦରକାର।ଦ୍ଵିତୀୟ,ଅନଲକ ପରେ କରୋନା ନିୟମକୁ କଡ଼ାକଡ଼ି ପାଳନ କରିବା ଦରକାର।ବେପରୁଆ ମନୋବୃତ୍ତି ରହିଲେ କରୋନା ଯୁଦ୍ଧକୁ ଜିତିବା ଏକ କଷ୍ଟକର ବ୍ୟାପାର ହୋଇପଡ଼ିବ ଏହା ମନେ ରଖିବା ଜରୁରୀ ।

Leave A Reply

Your email address will not be published.