କୋଟପାଡ଼ : ଚଳିତବର୍ଷ ବର୍ଷାର ଅଭାବ ଯୋଗୁଁ ଚାଷିକୂଳ ଆଶା ଓ ଆଶଙ୍କାରେ ଥିବାବେଳେ ୟୁରିଆ ସାରର ଅଭାବ ସମସ୍ୟାକୁ ବହୁଗୁଣିତ କରିଛି । ମିଳୁ ନାହିଁ ସାର ଓ ଠିକ ସମୟରେ ଜମିରେ ସାର ନ ପକାଇଲେ ଫସଲ ନଷ୍ଟ ହେବାର ଭୟ ମଧ୍ୟରେ ଚାଷୀ ଆଜି ରାଜରାସ୍ତାରେ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଆଜି ସକାଳୁ ସାର ପାଇଁ ଚାଷୀମାନେ କେଲା ନୀଳକଣ୍ଠମ ଚାଉଳ ମିଲ ଓ କୋଟପାଡ଼ ଲେମ୍ପସ ଠାରେ ସାର ପାଇବା ଆଶାରେ ଆସିଥିଲେ କିନ୍ତୁ ସାର ନ ମିଳିବା ଯୋଗୁଁ ୫୦୦୦ରୁ ଉର୍ଦ୍ଧ୍ବ ଚାଷୀ ଜାତୀୟ ରାଜପଥ ୬୩ କୁ ନୀଳକଣ୍ଠମ ରାଇସ ମିଲ ଓ କେନ୍ଦୁଗୁଡା ଛକଠାରେ ଦୀର୍ଘ ସମୟ ଯାଏ ଅବରୋଧ କରି ରଖିଥିଲେ ।

ଘଟଣାସ୍ଥଳକୁ କୋଟପାଡ଼ ତହସିଲଦାର ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଲେମ୍ପସ ଏମଡି ରାଜେନ୍ଦ୍ର ନାୟକ, କୋଟପାଡ଼ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଶେଷଦେବ ବେହେରା, ଅତିରିକ୍ତ କୃଷି ଅଧିକାରୀ ସୀତାକାନ୍ତ ରାଉତ ପ୍ରମୁଖ ଯାଇ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଚାଷୀମାନେ ଅଧିକାରୀଙ୍କ କଥା ବୁଝିବାକୁ ନାରାଜ ଥିଲେ । କାରଣ ପୂର୍ବରୁ ବହୁବାର ଚାଷୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ପ୍ରଶାସନ ତରଫରୁ ଦେଇ ଆସିଥିବା ଅଭିଯୋଗ ଚାଷୀମାନେ କରିଥିଲେ । କେନ୍ଦ୍ର ସରକାରଙ୍କ ଠାରୁ ଅଵଶ୍ୟକତା ଠାରୁ କମ ପରିମାଣର ସାର ରାଜ୍ୟ ସରକାର ପାଉଥିବାବେଳେ ସାରର ଅଭାବ ଦୂରୀକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ଫଳରେ ସାରର ଅଭାବ ହେଉଛି ଓ ଚାଷୀ ଆବଶ୍ୟକ ପରିମାଣର ସାର ପାଇବାରୁ ବଞ୍ଚିତ ହେଉଛନ୍ତି । ଚାଷୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାବେଳେ ସାରର ଅଭାବ ଯୋଗୁଁ ଫସଲ ହାନି ଚିନ୍ତାରେ ଦେଶର ଅନ୍ନଦାତା ମୁଣ୍ଡରେ ହାତ ଦେଇ ଦେଇଛି । ଚଳିତ ବର୍ଷ ବର୍ଷା ସ୍ୱଳ୍ପ ପରିମାଣରେ ହୋଇଥିବା ବେଳେ ନିଜ କୁଟୁମ୍ବର ଭରଣ ପୋଷଣ ତଥା ରଣ ପରିଶୋଧ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି । ତେଣୁ ପ୍ରଶାସନ ସଂଜ୍ଞାନ ନେଇ ସମସ୍ୟାର ସମାଧାନ କରିବାକୁ ଚାଷୀମାନେ ଦାବୀ କରିଛନ୍ତି ।