ଭୁବନେଶ୍ୱର : ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ କଟକ ଏସସିବିରେ ଉପଲବ୍ଧ ହେବ ଇକ୍ମୋ ଚିକିତ୍ସା । ୯ଟି ମେସିନ କଟକ ଏସସିବି ମେଡ଼ିକାଲରେ ଆଣି ରଖାଯାଇଛି । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସରିଛି । ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଗୋଟିଏ ବ୍ୟାଚ୍ କଲିକତାରୁ ଟ୍ରେନିଂ ନେଇ ଆସିଛନ୍ତି,ଆଉ ଗୋଟିଏ ଟିମ ଖୁବଶୀଘ୍ର କଲିକତା ଯିବେ ।ସମସ୍ତ ମେସିନ ଇନଷ୍ଟଲ ହୋଇସାରିଛି । ପ୍ରସ୍ତୁତିକରଣ ପ୍ରାୟ ଶେଷ ହୋଇଥିବା ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ୯ଟି ମେସିନକୁ ଦୁଇ ଭାଗରେ ବିଭକ୍ତ କରାଯିବ । କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ କରାଯିବ ଓ ସଂକ୍ରମିତଙ୍କ ପାଇଁ ସ୍ମଲ ୟୁନିଟ କରାଯିବ । କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି ୬ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି ୩ଟି ମେସିନ ବ୍ୟବହାର କରାଯିବ । ରାଜ୍ୟ ସରକାର ଲୋକଙ୍କୁ ମାଗଣା ଇକମୋ ଚିକିତ୍ସା ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । ଯାହାଦ୍ୱାରା ଲୋକ ଉପକୃତ ହେବେ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।