ଧୈର୍ଯ୍ୟର ସହ ତୃତୀୟ ଲହର ମୁକାବିଲା ଓ ଟିକା ନେବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା

188

-କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସଚେତନତାର ଭିଡିଓ ବାର୍ତା

ଭୁବନେଶ୍ୱର : କରୋନାର ନୂଆ ଭାରିଆଂଟର ଭୂତାଣୁ ଓମିକ୍ରନ ପାଇଁ ଭୟଭୀତ ନହୋଇଏହି ଭାଇରସକୁ ଧୈର୍ଯ୍ୟର ସହ ମୁକାବିଲା କରିବା ପାଇଁ ଓଡିଶା ସମେତ ଦେଶର ସମସ୍ତ ନାଗରିକଙ୍କୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତା ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବା ସହ ସମସ୍ତେ ମାସ୍କ ପିନ୍ଧିବା ଓ ସରକାରଙ୍କ କୋଭିଡ଼୍ ନିୟମକୁ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ଭାରତବର୍ଷର ନାଗରିକଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସୁଦ୍ଧା ମାନବଜାତି କୋଭିଡ଼୍ ମହାମାରୀର ପ୍ରକୋପରୁ ନିଜକୁ ସମ୍ଭାଳିଆସିଛି । ଜୀବନଜୀବିକା ସ୍ୱାଭାବିକ ହୋଇଛି କିନ୍ତୁ ଦେଶର ନାଗରିକମାନେ ଏବେ ବି ମହାମାରୀ ସହ ସଂଘର୍ଷ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ବିଶ୍ୱକୁ ନୂଆ ଭାରିଆଂଟ ଓମିକ୍ରନ ଲୋକଙ୍କୁ ଚିନ୍ତାରେ ପକାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଭାରିଆଂଟ ଅଫ୍ କନସନ୍ ତଥା ଚିନ୍ତାଜନକ ଭାରିଆଂଟ ବୋଲି ବିବେଚନା କରିଛି । ତେବେ ଏଥିପାଇଁ ଚିନ୍ତା ଓ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଧିକାରୀଙ୍କ ସହ ଦେଶରେ କୋଭିଡ୍ ସ୍ଥିତି ଓ ଟିକାକରଣ ନେଇ ସମୀକ୍ଷା କରିଛନ୍ତି । ନୂଆ ଭାରିଆଂଟ ନେଇ ଅଧିକ ସଜାଗ ରହିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଭାରତ ସରକାର ଏହି ସଂକ୍ରମଣ ଉପରେ ନଜର ରଖିବା ପାଇଁ ମନିଟରିଂ ବୃଦ୍ଧି ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନୂତନ ଭାରିଆଂଟ ଓମିକ୍ରନ ସମ୍ବନ୍ଧରେ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖି ବିଦେଶୀ ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି । ପରୀକ୍ଷଣ, ହଟସ୍ପଟ୍ ଉପରେ ନଜର, ସ୍ୱାସ୍ଥ୍ୟ ଭିତିଭୂମିରେ ଉନ୍ନତି ଏବଂ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତମାନ ସୁଦ୍ଧା ଦେଶରେ ୧୨୨ କୋଟି ୩୪ ଲକ୍ଷ ୮୧ ହଜାରରୁ ଉର୍ଦ୍ଧ୍ୱ ଲୋକ ନାଗରିକମାନେ ଟିକା ନେଇଥିବା ବେଳେ ଭାରତ ନୂଆ ମାଇଲଖୁଂଟ ଅତିକ୍ରମ କରିଛି । ସେଥିମଧ୍ୟରୁ ୭୮ କୋଟି ୩୩ ଲକ୍ଷ ୩୩ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରଥମ ଡୋଜ୍ ଓ ୪୪ କୋଟି ୧ ଲକ୍ଷ ୪୮ ହଜାରରୁ ଉର୍ଦ୍ଧ୍ୱ ଲୋକ ଦ୍ୱିତୀୟ ଡ଼ୋଜ୍ ନେଇସାରିଛନ୍ତି । ଓଡ଼ିଶାରେ ୪ କୋଟି ୩୦ ଲକ୍ଷ ୧୧ ହଜାରରୁ ଉର୍ଦ୍ଧ୍ୱ ଲୋକ ଟିକା ନେଇ ସାରିଛନ୍ତି । ୨ କୋଟି ୭୬ ଲକ୍ଷ ୮୩ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରଥମ ଡୋଜ୍ ଏବଂ ୧ କୋଟି ୫୩ ଲକ୍ଷ ୨୮ ହଜାରରୁ ଉର୍ଦ୍ଧ୍ୱ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଓଡ଼ିଶାରେ ଏବେ ବି ଆମେ କୋଭିଡକୁ ହାଲୁକା ଭାବେ ନେଇପାରିବା ନାହିଁ । ୨ ହଜାରରୁ ଉର୍ଦ୍ଧ୍ୱ ଲୋକ କୋଭିଡ୍ ସଂକ୍ରମିତ ଅଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧ ହଜାର ୫୭ ଜଣ ସଂକ୍ରମିତ ଅଛନ୍ତି ।

ମୋର ପ୍ରଥମ ଅନୁରୋଧ, ଟିକା ନେଇନଥିବା ଲୋକମାନେ ଶୀଘ୍ର ଟିକା ନିଅନ୍ତୁ । ଦେଶରେ ଟିକାର ଅଭାବ ନାହିଁ । ଭାରତ ସରକାର ରାଜ୍ୟ ମାନଙ୍କୁ ମାଗଣାରେ ପର୍ଯ୍ୟାପ୍ତ ଟିକା ଯୋଗାଇ ଦେଉଛନ୍ତି । ଏବେ ବି ଓଡ଼ିଶାରେ ୭୦ ଲକ୍ଷ ୫୯ ହଜାର ୨୧୫ ଟିକା ମହଜୁଦ୍ ଅଛି । ଜଣେ ଦାୟିତ୍ୱବାନ ନାଗରିକ ଭାବରେ ସମସ୍ତଙ୍କୁ ଟିକା ନେବା ପାଇଁ ପଡ଼ିବ । ଯେଉଁମାନେ ଏବେ ଯାଏଁ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ । କେନ୍ଦ୍ର ସରକାରଙ୍କ ହର୍ ଘର ଦସ୍ତକ୍ ଅଭିଯାନ ଅର୍ଥାତ୍ ଘର ଘର ବୁଲି ଟିକା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ପଡ଼ିବ । ତୃତୀୟ ଲହରରୁ ରକ୍ଷା ପାଇବା ପାଇଁ ହେଲେ ରାଜ୍ୟ ସରକାର ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ତିନୋଟି ଟି- ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମଂଟକୁ ପୁଣି ଥରେ ଗୁରୁତ୍ୱ ଦେବା ପାଇଁ ହେବ । କରୋନା ସହ ଆମର ଲଢ଼େଇ ସୀମିତ ନୁହେଁ । ଏଥିପାଇଁ ଆମକୁ ଲମ୍ବା ସମୟ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପଡ଼ିବ । ତେଣୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ପ୍ରସ୍ତୁତ ରହିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

ଦେଶର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଶ୍ରମିକ, ଚାଷୀ ଭାଇ ତଥା ସମାଜର ସବୁ ବର୍ଗର ଭାଇ ଭଉଣୀ ମାନଙ୍କୁ ଅନୁରୋଧ- ସମସ୍ତେ ମାସ୍କ ପିନ୍ଧିବା, ସମସ୍ତେ କୋଭିଡ୍ ନିୟମକୁ କଡ଼ା କଡ଼ି ଭାବରେ ପାଳନ କରିବା । ସାମାନ୍ୟ ଲକ୍ଷଣ ଦେଖିଲେ କୋଭିଡ୍ ଟେଷ୍ଟ୍ କରିବା ସହ ଡ଼ାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ବିଦେଶରୁ ଆସୁଥିଲେ ନିଜକୁ ପରୀକ୍ଷା କରିବା ସହ ଅତି କମରେ ୧୪ ଦିନ ନିଜକୁ ସଂଗରୋଧରେ ରଖନ୍ତୁ । ଡ଼ାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ । ଓମିକ୍ରନ ଭାରିଆଂଟ୍ ପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ । ଆମକୁ ପୁଣି ଥରେ ଏହି ଭାଇରସକୁ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ହେବ । ପୂର୍ବାପେକ୍ଷା ଅଧିକ ସଚେତନ ରହିଲେ ହିଁ ଆମେ ଲକଡାଉନ ଓ ଜୀବନଜୀବିକା ପ୍ରଭାବିତ ହେବାର ଆଶଙ୍କାକୁ ଦୂରେଇ ପାରିବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ହିଁ ଆମେ ଏହି ସଂକଟରୁ ନିଶ୍ଚୟ ଉଦ୍ଧାର ହୋଇପାରିବା ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.