କୃଷକ ନେତାମାନେ ଆଜି ଦିନସାରା ଦିଲ୍ଲୀ ସୀମାରେ ଅନଶନ ରଖିବେ

174

ନୂଆଦିଲ୍ଲୀ: କୃଷକ ଏବଂ କେନ୍ଦ୍ର ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ପରେ ମଧ୍ୟ କୌଣସି ସଫଳତା ମିଳି ନାହିଁ | ନୂତନ କୃଷି ଆଇନକୁ ରଦ୍ଦ କରିବା ଦାବିରେ କୃଷକମାନେ ଜିଦ୍ ଧରିଛନ୍ତି ଏବଂ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନଙ୍କର ଚାହିଦାକୁ ଆଗେଇ ନେବା ପାଇଁ ସେମାନେ ଆଜି ଉପବାସରେ ବସିବାକୁ ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନେ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆଜି ଅନଶନ ଆରମ୍ଭ କରିଛନ୍ତି। ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରାଯିବ ବୋଲି କୃଷକ ସଙ୍ଗଠନମାନେ କହିଛନ୍ତି। ପଞ୍ଜାବରେ ‘ଭାରତୀୟ କିଷାନ୍‌ ୟୁନିୟନ୍‌’ ବା ‘ବିକେୟୁ’ର ସାଧାରଣ ସମ୍ପାଦକ ହରିନ୍ଦର ସିଂହ ଲଖୋଓ୍ଵାଲ୍‌ କହିଛନ୍ତି, ଆମେ ସରକାରଙ୍କୁ ଜାଗ୍ରତ କରିବାକୁ ଚାହୁଁଛୁ। ସେଥିପାଇଁ ‘ସଂଯୁକ୍ତ କୃଷକ ସାମ୍ମୁଖ୍ୟ’ର ୪୦ଜଣ କୃଷକ ନେତା ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସୀମାର ସମସ୍ତ ଅଞ୍ଚଳରେ ଅନଶନରେ ବସିବେ। ସେମାନଙ୍କ ମଧ୍ୟରୁ ୨୫ଜଣ ସିଂଘୁ ସୀମାରେ, ୧୦ଜଣ ଟିକ୍‌ରୀ ସୀମାରେ ଏବଂ ୫ଜଣ ଉତ୍ତର ପ୍ରଦେଶ ସୀମାରେ ବସି ଅନଶନ କରିବେ।

Leave A Reply

Your email address will not be published.