କେନ୍ଦ୍ରର କୃଷି ଆଇନ ସ୍ଥଗିତ ପ୍ରସ୍ତାବକୁ କୃଷକ ସଙ୍ଗଠନର ଅଗ୍ରାହ୍ୟ

155

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ୫୫ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ତେବେ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ । ଆଜି ସୁପ୍ରିମ୍କୋର୍ଟ ଗଠନ କରିଥିବା କମିଟିର ସଦସ୍ୟମାନେ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ । ହେଲେ ପ୍ରଥମ ଦିନରେ କୌଣସି ନିଷ୍କର୍ସ ବାହାରିନଥିବା ବେଳେ ଆସନ୍ତା ୨୨ତାରିଖରେ ଆଉ ଏକ ବୈଠକ ହେବ ବୋଲି ଜଣାଯାଇଛି । ସମସ୍ତ ସଂଗଠନ ସହ ଆଲୋଚନା କରି ଏହାର ରିପୋର୍ଟ ସୁପ୍ରିମ୍କୋର୍ଟଙ୍କୁ ଦିଆଯିବ ବୋଲି କମିଟିର ସଦସ୍ୟ କହିଛନ୍ତି । ଅନ୍ୟପକ୍ଷରେ ସରକାର ଓ ଚାଷୀ ସଂଗଠନ ମଧ୍ୟରେ ବସିବ ୧୦ମ ରାଉଣ୍ଡ ବୈଠକ ।

ସମସ୍ୟାର ସମାଧାନ ନେଇ ଚାଷୀମାନେ ଆଶାବାଦୀ ଅଛନ୍ତି । ଏପଟେ ୩ କୃଷି ଆଇନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରେସ୍ମିଟ୍ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେହିପରି ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ର୍ୟାଲି ନେଇ ଦିଲ୍ଲୀ ପୋଲିସ ଚାଷୀଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଆସନ୍ତା ୨୨ରେ ପରବର୍ତ୍ତୀ ବୈଠକ ବସି ଆଲୋଚନା ହେବ ବୋଲି ଜଣାଯାଇଛି । ଦିଲ୍ଲୀ ଲାଲକିଲ୍ଲା ପରିବର୍ତ୍ତେ ରିଂ ରୋଡରେ ପରେଡ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ,ସରକାର ଦେଢବର୍ଷ ପର୍ଯ୍ୟନ୍ତ କୃଷି ଆଇନ୍ ରୋକିବାକୁ ପ୍ରସ୍ତାବ ଦେଇଛନ୍ତି ।

ଅନ୍ୟପକ୍ଷେ କୃଷି ଆଇନ୍ ରଦ୍ଦ କରିବା ଦାବିରେ ଅଡି ବସିଥିବା କୃଷକ ସଂଗଠନ ସରକାରଙ୍କ ଏହି ପ୍ରସ୍ତାବ ଉପରେ ବିଚାର କରିବା ପାଇଁ କାଲି ପର୍ଯ୍ୟନ୍ତ ସମୟ ମାଗିଛନ୍ତି । ବୈଠକ ପରେ କୃଷକ ସଂଗଠନର ନେତା କହିଛନ୍ତି ଦୁଇପକ୍ଷଙ୍କ ସହମତିରେ ଏକ ନିଶ୍ଚିତ ସମୟ ପାଇଁ କୃଷି ଆଇନକୁ ନିଲମ୍ବିତ କରିବା ଏବଂ ଏକ କମିଟି ଗଠନ ପାଇଁ ଉଚ୍ଚତମ ନ୍ୟାୟାଳୟରେ ସତ୍ୟପାଠ ଦାୟର କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଦଶମ ପର୍ଯ୍ୟାୟ ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି କୃଷକ ସଂଗଠନ ସହିତ ଆଜିର ଆଲୋଚନା ବହୁତ ସକାରାତ୍ମକ ରହିଛି । ଆଲୋଚନା ବେଳେ ଆମେ କୃଷି ଆଇନକୁ ଦେଢବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ ଥିବା କହିଛୁ । ମୁଁ ଖୁସି ଯେ କୃଷକ ସଂଗଠନ ଏହି ପ୍ରସ୍ତାବକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଏହା ଉପରେ ଜାନୁଆରୀ ୨୨ରେ ନିଜର ନିଷ୍ପତ୍ତି ନେବେ । ତୋମାର କହିଛନ୍ତି ଆଲୋଚନା ସଠିକ୍ ଦିଗରେ ଆଗକୁ ବଢୁଛି । ବୈଠକ ସମୟରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସେ କହିଛନ୍ତି ।

ଟ୍ରାକ୍ଟର ର‌୍ୟାଲି ନେଇ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀମାନେ ଟ୍ରାକ୍ଟର ର‌୍ୟାଲି ପାଇଁ କରିଥିବା ଘୋଷଣା ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଆଗତ ପିଟିସନ୍ ରେ ଶୁଣାଣି ବୁଧବାର ହୋଇଥିଲା । ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ପୁଣିଥରେ ନିଜ ନିଷ୍ପତ୍ତି ଦୋହରାଇବା ସହିତ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରିଦେଇଥିଲେ । ଟ୍ରାକ୍ଟର ର‌୍ୟାଲି ସମ୍ପର୍କରେ ଦିଲ୍ଲୀ ପୋଲିସ ଉପରେ ନିଷ୍ପତ୍ତି ଛାଡ଼ିଥିଲେ । ଅନ୍ୟପଟେ କୃଷି ଆଇନକୁ ନେଇ ଲାଗିରହିଥିବା ବିବାଦର ସମାଧାନ ଲାଗି ସୁପ୍ରିମ୍କୋର୍ଟ ଗଠନ କରିଥିବା କମିଟି ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ । ପ୍ରଧାନ ବ·ରପତି ଏସ୍.ଏ.ବୋବଡେ ସ୍ପଷ୍ଟ କରି କହିଥିଲେ ଯେ, କମିଟିର କାର୍ଯ୍ୟ ରିପୋର୍ଟ ଦେବା, ନିଷ୍ପତ୍ତି ଶୁଣାଇବା ନୁହେଁ । ଏଥିପାଇଁ କମିଟି ଉପରେ ପକ୍ଷପାତିତା ଅଭିଯୋଗ କରାନଯାଉ ।

ପ୍ରଧାନ ବିଚାରପତି କହିଥିଲେ, ଗଣତନ୍ତ୍ର ଦିବସରେ କୃଷକମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ର‌୍ୟାଲି ବିରୋଧରେ କେନ୍ଦ୍ର ସରକାରଙ୍କ ପିଟିସନ୍ ଉପରେ ଆମେ କୌଣସି ଆଦେଶ ଦେବୁ ନାହିଁ । ଆମେ କହିଛୁ ଯେ, ଏହା ପୋଲିସକୁ ସ୍ଥିର କରିବାକୁ ପଡ଼ିବ । ଆମେ ଆଦେଶ ପାରିତ କରିବୁ ନାହିଁ । ଆପଣମାନେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାରୀ । ଦିଲ୍ଲୀରେ ପ୍ରବେଶ କରିବା ପ୍ରସଙ୍ଗ ଆଇନ ବ୍ୟବସ୍ଥା ସହିତ ଜଡ଼ିତ । ପୋଲିସ ଏହା ଉପରେ ନିଷ୍ପତ୍ତି ନେବ । ଟ୍ରାକ୍ଟର ର‌୍ୟାଲି ହେବ କି ନାହିଁ ତାହା ପୋଲିସ ସ୍ଥିର କରିବ । ଏହା ଉପରେ ନିଷ୍ପତ୍ତି ନେବାର ଅଧିକାର ଦିଲ୍ଲୀ ପୋଲିସ ପାଖରେ ରହିଛି । ଏହାପରେ ସୁପ୍ରିମ୍କୋର୍ଟ ଏହି ପିଟିସନ୍କୁ ପ୍ରତ୍ୟାହାର କରିନେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ । ଫଳରେ କେନ୍ଦ୍ର ସରକାର ଟ୍ରାକ୍ଟର ର‌୍ୟାଲି ବିରୋଧରେ କରିଥିବା ପିଟସନ୍କୁ ପ୍ରତ୍ୟାହାର କରିନେଇଥିଲେ ।

Leave A Reply

Your email address will not be published.