ବିଦା ହେଲେ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀ

208

ଦୁର୍ନୀତି ଓ ଅପାରଗତା ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବିଜେଡି ଯୁବ ପରିଷଦ ବୈଠକରେ ଦୁର୍ନୀତି ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ସରପଞ୍ଚଙ୍କଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏବଂ ଏଣ୍ଟ୍ରିଲେବଲ୍ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ସମ୍ପତ୍ତି ତାଲିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ଆଭିମୁଖ୍ୟ ଜାରି ରହିଛି । ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ଆଜି ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସେମାନଙ୍କ ମଧ୍ୟରେ ୪ ଇଞ୍ଜିନିୟର ଓ ୨ ଜଣ ଅବକାରୀ ବିଭାଗର ଅଧିକାରୀ ସାମିଲ ଅଛନ୍ତି । ଏହି ଅସାଧୁ ଅଧିକାରୀମାନଙ୍କ ବିରୋଧରେ ପୂର୍ବରୁ ଭିଜିଲାନ୍ସ ମାମଲା ଦାଏର କରାଯାଇଥିଲା ଏବଂ ଏଥିରେ ସେମାନେ ଦୋଷୀ ପ୍ରମାଣିତ ହୋଇଛନ୍ତି । ଏହି ଅଧିକାରୀମାନଙ୍କ ଭିତରେ ସାମିଲ ଅଛନ୍ତି ରୁରାଲ ୱାର୍କ୍ସ ଡିଭିଜନ୍‌ର ଉପ-କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ୍ କୁମାର ଦେବତା । ତାଙ୍କ ବିରୋଧରେ ୨ଟି ଭିଜିଲାନ୍ସ ମାମଲା ରହିଛି ଏବଂ ସେ ୧କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି । ସେହିପରି ପୂର୍ତ୍ତ ବିଭାଗର ରାସ୍ତା ଓ କୋଠାବାଡ଼ି ଡିଭିଜନ୍‌ର ଗୁଣାତ୍ମକ ନିୟନ୍ତ୍ରଣ ବିଭାଗର ସହକାରୀ ଇଞ୍ଜିନିୟର ଜିତେନ୍ଦ୍ର କୁମାର ଦଲାଲ, ଗଣେଶ୍ୱର ସେଠୀ ଏବଂ ମୟୂରଭଞ୍ଜ କରଞ୍ଜିଆରେ କାର୍ଯ୍ୟ କରୁଥିବା ରୁରାଲ ୱାର୍କ୍ସ ବିଭାଗର ସହକାରୀ ଇଞ୍ଜିନିୟର ବିଜୟ ପରିଡ଼ାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଜିତେନ୍ଦ୍ରଙ୍କ ବିରୋଧରେ ଭିଜିଲାନ୍ସ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ ନେଇ ୨ଟି ମାମଲା ରୁଜୁ କରିଛି । ସେହିପରି ଗଣେଶ୍ୱରଙ୍କ ବିରୋଧରେ ଅଶୋଭନୀୟ ଆଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ଭଳି ଗୁରୁତର ଅଭିଯୋଗକୁ ଭିତ୍ତିକରି ପୂର୍ବରୁ ୬ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା । ସହକାରୀ ଇଞ୍ଜିନିୟର ବିଜୟ ମରାମତି କାର୍ଯ୍ୟ କରିବା ସମୟରେ ସରକାରୀ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ରହିଛି । ତାଙ୍କ ବିରୋଧରେ ୩ଟି ଭିଜିଲାନ୍ସ ମାମାଲା ରହିଛି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୨ଅବକାରୀ ବିଭାଗ ଅଧିକରୀଙ୍କ ଭିତରେ ରହିଛନ୍ତି ସମ୍ବଲପୁରରେ ଥିବା ଓଡ଼ିଶା ପାନୀୟ ନିଗମ ଡିପୋର ଶାଖା ପରିଚାଳକ ତଥା ଉପଅବକାରୀ ନିରୀକ୍ଷକ ଜୟଦୀପ ପଟ୍ଟନାୟକ ଏବଂ ସୁନ୍ଦଗଡ଼ରେ କାର୍ଯ୍ୟରତ ଅବକାରୀ ନିରୀକ୍ଷକ ରିହାଜ ଅହମଦ ବେଗ୍ । ଜୟଦୀପ କାର୍ଯ୍ୟକଳାପ, ସରକାରୀ ଶାଳୀନତା ଓ ସୌଜନ୍ୟର ବିରୁଧାଚରଣ କରୁଥିଲେ । ତାଙ୍କ ବିରୋଧରେ ସରକାରୀ ସମ୍ପତ୍ତିର କୁପରିଚାଳନା ଏବଂ ଅଫିସ କାର୍ଯ୍ୟ ସମୟରେ ମଦ୍ୟପାନ ଆଦି ଅଭିଯୋଗ ରହିଛି । ଅହମଦ ବେଗ୍ ତାଙ୍କ ଚାକିରି କାଳ ସମୟରେ ତାଙ୍କ ଅପାରଗତା, ଦାୟିତ୍ୱହୀନତା ଓ କର୍ତ୍ତବ୍ୟନିଷ୍ଠାରେ ଖିଲାପ କାରଣରୁ ୫ ଥର ନିଲମ୍ବିତ ହୋଇଥିଲେ । ତାଙ୍କ ବିରୋଧରେ ଏଥିପାଇଁ ବିଭାଗୀୟ କାର୍ଯ୍ୟନୁଷ୍ଠାନ ହୋଇଛି । ପ୍ରଶାସନରେ ଅସାଧୁ କର୍ମଚାରୀଙ୍କୁ ଶୂନ୍ୟ ସହିଷ୍ଣୁତା ପଦର୍ଶନ ଆଦର୍ଶରେ ଅଭିପ୍ରେତ ଓଡ଼ିଶା ସରକାର ପୂର୍ବରୁ ଏହିପରି କାର୍ଯ୍ୟରତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ତଥା ବାଧ୍ୟତାମୂଳକ ଅବସର ଦେଇଥିବା ନଜିର ରହିଛି । ଏବେ ଏହି ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ଆଦେଶ ସମଗୁଣର ସରକାରୀ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି ହେବ ।

ଶିଶୁ-ମହିଳା ହିଂସା ରୋକିବାକୁ ଗଠନ ହେବ ସ୍ପେଶାଲ ୱିଙ୍ଗ୍‌

ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ନଜର ରଖିବାକୁ ପୋଲିସର ସ୍ୱତବ ୱିଙ୍ଗ୍ ଗଠନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସଂମିଳନୀର ଉଦ୍‌ଯାପନୀ ଦିବସରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ ହାର କମ୍‌ ରହିବା ଚିନ୍ତାଜନକ । ତେଣୁ ଏଥିରେ ଉନ୍ନତି ଆଣିବା ପାଇଁ ତଦନ୍ତରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ନେଇ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ପଡ଼ିବ । ନିଶା କାରବାର ଉପରେ ପୋଲିସର ସ୍ୱତବ ଡ୍ରାଇଭ୍‌କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ମହାମାରୀ କରୋନା ସମୟରେ ପୋଲିସର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏଥିସହିତ କରୋନା ମୁକାବିଲାରେ ପ୍ରାଣବଳୀ ଦେଇଥିବା ପୋଲିସ କର୍ମଚାରୀ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ୬୨ ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସଂମିଳନୀର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ୩୮ଜଣ ପୋଲିସ କର୍ମଚାରୀଙ୍କ ପରିବାରକୁ ରେକର୍ଡ ସମୟ ମଧ୍ୟରେ ସ୍ୱତବ ପେନସନ୍ ଯୋଗାଇ ଦିଆଯାଇଥିବା ୨୯ଟି ପରିବାରକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଅନ୍ୟମାନଙ୍କୁ ଖୁବଶୀଘ୍ର ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅପରପକ୍ଷରେ କରୋନରୁ ସୁସ୍ଥ ହୋଇ ପ୍ଲାଜ୍‌ମା ଦାନ କରିଥିବା ୯୩୦ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ମୁଖ୍ୟମବୀ । ରାଜ୍ୟରେ ମାଓବାଦୀଙ୍କୁ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇଥିବା ସେ କହିଛନ୍ତି । ତେବେ ମାଓବିରୋଧୀ ମୁକାବିଲାରେ ୨ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଭରଣପୋଷଣ କରାଯିବ । ଯୋଗାଯୋଗ କ୍ଷେତ୍ରରେ ମାଲକାନଗିରି ଓ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଅନୁଗୁଳ ଓ କେନ୍ଦୁଝରରେ ଶିଳ୍ପ ବାତାବରଣ ବୃଦ୍ଧି ଦିଗରେ ସେଠାକାର ଏସ୍‌ପିଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଲୋକେ ଥାନାକୁ ଆସି ସେମାନଙ୍କ ଅଭିଯୋଗ ଜଣାଇପାରିବେ ଏବଂ ସେମାନଙ୍କ ସହ ଯେଭଳି ସଠିକ୍ ବ୍ୟବହାର କରାଯିବ ସେନେଇ ମୋ ସରକାର ଲାଗୁ କରାଯାଇଥିଲା ଏବଂ ଏହାର ସୁଫଳ ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଶିଶୁ ଏବଂ ମହିଳା ବିରୋଧରେ ଅପରାଧର ତଦନ୍ତ ନେଇ ଗଠିତ ହେବ ସ୍ୱତନ୍ତ୍ର ୱିଙ୍ଗ୍ । ଏ ନେଇ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।

Leave A Reply

Your email address will not be published.