ବିଜେପି ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡ଼ି ଥିବା ବିରୋଧୀ ମେଣ୍ଟରେ ପୁଣି ଫାଟ ଦେଖିବାକୁ ମିଳିଛି। ଏଥର ସିଟ ଶେୟାରିଂକୁ ନେଇ ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସ ମଧ୍ୟରେ ମତାନ୍ତର ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ ଉଦ୍ଧବ ସେନା ମହାରାଷ୍ଟ୍ରର ୨୩ ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଛି। ହେଲେ ଦଳର ଏପରି ଦାବିକୁ କଂଗ୍ରେସ ଗ୍ରହଣ କରିନାହିଁ। ମହାରଷ୍ଟ୍ର ବିକାଶ ଅଘାଡ଼ିରେ ଥିବା ଶିବସେନା (ଉଦ୍ଧବ ଠାକରେ), ଏନସିପି ଓ କଂଗ୍ରେସ ମିଳିତ ଭାବେ ସିଟ୍ ଶେୟାରିଂ ସମ୍ପର୍କରେ ବୈଠକ କରିଥିଲେ। ଏହି ବୈଠକ ସମୟରେ ଉଦ୍ଧବ ସେନା ୨୩ ଆସନ ମାଗିଥିଲା। ହେଲେ କଂଗ୍ରେସ ଏପରି ପ୍ରସ୍ତାବରେ ରାଜି ହୋଇନାହିଁ। ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଶିବସେନା ଦୁଇ ଫାଳ ହୋଇଯାଇଛି। ଅଧିକାଂଶ ଶିବସେନା ନେତା ଓ ସାଂସଦ ସିନ୍ଦେଙ୍କ ଗୋଷ୍ଠୀରେ ରହିଛନ୍ତି। ତଥାପି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ୨୩ଟିରେ ପ୍ରାର୍ଥୀ ଦେବାକୁ ଚାହୁଁଛି। ଶିବସେନା ଦୁଇ ଫାଳ ହୋଇଯିବାରୁ ଉଦ୍ଧବ ଠାକରେଙ୍କ ପାଖରେ ଉପଯୁକ୍ତ ପ୍ରାର୍ଥୀ ନାହାନ୍ତି। ଦଳ ପ୍ରାର୍ଥୀ ଚୟନରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି। ସିଟ ଶେୟାରିଂ ଆଲୋଚନା ବେଳେ କଂଗ୍ରେସ ପ୍ରତିନିଧି କହିଥିଲେ ଯେ ମେଣ୍ଟରେ ଥିବା କଂଗ୍ରେସ ଏକମାତ୍ର ଦଳ ଯାହାର ଭୋଟ ଭାଗ ରାଜ୍ୟରେ ସ୍ଥିର ରହିଛି। କାରଣ ଏନସିପି ଓ ଶିବସେନା ଦୁଇ ଭାଗ ହେବା ପରେ ସେମାନଙ୍କ ଭୋଟ ଭାଗ ମଧ୍ୟ ବିଭାଜନ ହୋଇଛି। ଗତ ସପ୍ତାହରେ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ କହିଥିଲେ ଯେ, ସେ ଦଳର ନେତା ଉଦ୍ଧବ ଠାକରେ ଓ ଆଦିତ୍ୟ ଠାକରେ ମିଳିତ ଭାବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁ ଗୋପାଲଙ୍କ ସହ ବୈଠକ କରିଥିଲେ। ବିରୋଧୀ ମେଣ୍ଟ ଇଣ୍ଡିଆର ୪ର୍ଥ ବୈଠକ ପୂର୍ବରୁ ସେମାନଙ୍କର ଆଲୋଚନା ହୋଇଥିଲେ। ତେବେ ସଞ୍ଜୟ ରାଉତ କଂଗ୍ରେସ ଓ ଏନସିପି କେତୋଟି ଲେଖାଏ ଆସନରେ ଲଢ଼ିବେ, ସେକଥା କହି ନଥିଲେ। ୨୦୧୯ରେ ଅବିଭାଜିତ ଶିବସେନା ଏନଡିଏ ମେଣ୍ଟରେ ଥିଲା। ତେବେ ୨୦୨୨ ଜୁନରେ ସିନ୍ଦେ ଓ ୪୦ ଅନ୍ୟ ବିଧାୟକ ବିଦ୍ରୋହ କରିଥିଲେ। ଫଳରେ ଶିବସେନା ଦୁଇ ଫାଳ ହୋଇଥିଲା। ସିନ୍ଦେ ଆଣ୍ଡ କୋ ବିଜେପି ସହ ମିଶି ଏବେ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.