୩୨ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ୧୧ ହଜାର ମୁହାଁ ସକ୍ରିୟ ମାମଲା

153

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି । ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି । ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି । ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି । ଦୈନିକ ପଜିଟିଭ୍‌ ହାରରେ ବୃଦ୍ଧି ଘଟିଛି । ସେହିପରି ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି । ସକ୍ରିୟ ମାମଲା ୧୧ ହଜାର ମୁହାଁ ହେବାରେ ଲାଗିଛି । ଦେଶର ୩୨ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଥିବାବେଳେ ୬୩ ଜିଲ୍ଲାରେ ଏହା ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି ।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି । ଗତ ୨୪ ଘଣ୍ଟାରେ ଏହା ୧,୫୭୩ ଛୁଇଁଛି । ଗୋଟିଏ ଦିନ ତଳେ ଏହା ୧,୮୦୩ ଥିଲା । ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୦ ରେ ପହଞ୍ଚିଛି । ଗୋଟିଏ ଦିନ ତଳେ ଏହା ୪ ଥିଲା । ଏହି ସମୟରେ ସକ୍ରିୟ ମାମଲା ୧୧ହଜାର ମୁହାଁ ହୋଇଛି । ଏହା ୧୦ ହଜାର ୯୮୧ରେ ପହଞ୍ଚିଛି । ଗୋଟିଏ ଦିନ ତଳେ ଏହା ୧୦ ହଜାର ୩୦୦ ଥିଲା । ସେହିପରି ୨୪ ଘଣ୍ଟାରେ ୮୮୮ ଜଣ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନ ତଳେ ଏହା ୯୩୨ ଥିଲା । ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୮୪୧ ଛୁଇଁଛି ।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୭ ଲକ୍ଷ ୭ ହଜାର ୫୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪ କୋଟି ୪୧ ଲକ୍ଷ ୬୫ ହଜାର ୭୦୩ ଜଣ ସୁସ୍ଥ ହୋଇସାରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୭୯ ପ୍ରତିଶତ ରହିଛି । ସେହିପରି ସକ୍ରିୟ ମାମଲା ୦.୦୨ ପ୍ରତିଶତ ରହିଛି । ଦୈନିକ ସଂକ୍ରମଣ ୧.୩୦ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୧.୪୭ ପ୍ରତିଶତ ରହିଛି । ଅପରପକ୍ଷରେ ମୃତ୍ୟୁହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି । ସେହିପରି ଓଡ଼ିଶା ସମେତ ଦେଶରେ କରୋନା ସଂକ୍ରମଣ ବଢ଼ୁଛି ।

ଏହାକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସବୁ ଜିଲ୍ଲାକୁ ଚିଠି ଜାରି ହେବା ସହିତ ଆବଶ୍ୟକ ସଂଖ୍ୟକ ଶଯ୍ୟା ମହଜୁଦ ରଖିବା ଓ ଏହାର ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଦେଶରେ ଗତ ୨୪ଘଣ୍ଟାରେ ୧୮୯୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୧୨ । ରାଜ୍ୟରେ ଏବେ ୯୨ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି । ହେଲେ ଗତ ୩-୪ଦିନ ହେବ ରାଜ୍ୟରେ କରୋନାସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ନଜରକୁ ଆସିଛି ।

ଏପରିକି ଏହି ସଂଖ୍ୟା ୨୦ରୁ ଅଧିକ ରହିଥିଲା । ଏହାସହ ଇନଫ୍ଲୁଏଞ୍ଜା ସଂକ୍ରମଣ ବର୍ତ୍ତମାନ ଯାଏ ଶେଷ ହୋଇନଥିବାରୁ ଏହା ରାଜ୍ୟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏସସିବି, ଏମକେସିଜି, ଭିମସାର ଓ କୋରାପୁଟ ମେଡିକାଲ କଲେଜରେ ଅତିକମରେ ୨୦ଶଯ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିରେ ୨ଟି ଆଇସିୟୁ ଶଯ୍ୟା ରହିବ । ସେହିପରି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଶଯ୍ୟା ସହିତ ଆବଶ୍ୟକସ୍ଥଳେ ଶଯ୍ୟା ସଂଖ୍ୟା ଯେଭଳି ବୃଦ୍ଧି ହୋଇପାରିବ ସେଭଳି ବ୍ୟବସ୍ଥା ରହିବା ଜରୁରି ।

ସେହିପରି ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚ୍‌ଜି)ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୬ଟି ଶଯ୍ୟା ରହିବ । ତେବେ ସମସ୍ତ କୋଭିଡ ଚିକିତ୍ସା କେନ୍ଦ୍ରଗୁଡ଼ିକ ପୂର୍ବରୁ ଥିବା ମାନବ ସମ୍ବଳ ଜରିଆରେ ହିଁ ପରି·ଳନା କରାଯିବ । ସେହିପରି ସ୍ୱାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ଅକ୍ସିଜେନ୍‌ କନସେନଟ୍ରେଟର, ସିଲିଣ୍ଡର, ଏଲଏମ୍‌ଓ, ପିଏସ୍‌ଏକୁ ପ୍ରସ୍ତୁତ ରଖାଯାଉ । ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫିଭର କ୍ଲିନିକ୍‌ ସହିତ ୱାକ-ଇନ୍‌ କୋଭିଡ ଟେଷ୍ଟିଂ ବ୍ୟବସ୍ଥା କରାଯାଉ । ଆସନ୍ତାମାସ ୧୦ ଓ ୧୧ ତାରିଖରେ ସବୁ ସ୍ୱାସ୍ଥ୍ୟାନୁଷ୍ଠାନରେ କୋଭିଡ ନେଇ ମକଡ୍ରିଲ କରାଯିବ । ଏ ଦୃଷ୍ଟିରୁ ହସ୍ପିଟାଲରେ ଆବଶ୍ୟକ ପରିମାଣରେ ଔଷଧ, ଶଯ୍ୟା, ମେଡିକାଲ ଯନ୍ତ୍ରପାତି, ଅକ୍ସିଜେନ, ମାନବ ସମ୍ବଳର ଦକ୍ଷତା ବୃଦ୍ଧି, ଟିକାକରଣ ହାର ଆଦି ସଂପର୍କରେ ପ୍ରସ୍ତୁତ ରଖିବାକୁ ହେବ ।

Leave A Reply

Your email address will not be published.