ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ନିଜ ହାତରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଣିଲା ନୂଆ ବିପ୍ଳବ । ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ଓଡ଼ିଶା। ମୟୂରଭଞ୍ଜ ଜିଲ୍ଲାରେ ୬ଲକ୍ଷ ହିତାଧିକାରୀ ବିଏସକେୱାଇ ସ୍ମାର୍ଟକାର୍ଡର ଲାଭ ପାଇବେ । ସେହିପରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୨ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ । ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶାର ଲକ୍ଷ୍ୟ ରଖି ଅଗଷ୍ଟ ୧୫ ତାରିଖରୁ ଏହି ଡିଜିଟାଲ କାର୍ଡର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମହିଳାମାନେ ୧୦ଲକ୍ଷ ଓ ପୁରୁଷମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପାଇବେ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ ।
ନବୀନ କହିଛନ୍ତି, ମୟୂରଭଞ୍ଜ ଆମ ଓଡ଼ିଶାର ଏକ ବଡ଼ ଜିଲ୍ଲା । ମୟୂରଭଞ୍ଜ ଲୋକଙ୍କ ହୃଦୟ ବହୁତ ବଡ଼ । ବିକାଶର ଦିଗରେ ମୟୂରଭଞ୍ଜର ବଡ଼ ଅବଦାନ ରହିଛି । ପୂର୍ବତନ ମହାରାଜା ପୁର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୁମିକା । ବିଏସ୍କେଓ୍ୱାଇ କାର୍ଡ ହେଉଛି ବିପଦ ସମୟରେ ପ୍ରକୃତ ବନ୍ଧୁ । ଏହି କାର୍ଡ ଆପଣଙ୍କୁ ଅସୁବିଧା ସମୟରେ ବହୁତ ସାହାଯ୍ୟ କରିବ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ୬ଲକ୍ଷ ୧୨ ହଜାର ୩୧୦ ପରିବାରକୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯିବ।