ବିଜୁବାବୁଙ୍କ ସ୍ମୃତିରେ…

169

ଭୁବନେଶ୍ୱର: ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକ ତୁଳସୀପୁରସ୍ଥିତ ଆନନ୍ଦଭବନରେ ଜନ୍ମ ନେଇଥିଲେ ପ୍ରବାଦ ପୁରୁଷ ତଥା ମହାନ୍ ଜନନାୟକ ବିଜୁ ପଟ୍ଟନାୟକ । ତୁଳସୀ ଦୁଇପତ୍ରରୁ ବାସିଲା ଭଳି କୁଆଁ କୁଆଁ ରାବରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ତାଙ୍କ ପ୍ରତିଭା । ସେ ଦିନେ ଯେ ସମଗ୍ର ବିଶ୍ୱରେ ଏକ ଯୁଗାନ୍ତକାରୀ ଆଲୋଡ଼ନ ସୃଷ୍ଟି କରିବେ ତାହା ତାଙ୍କର ପିଲାଦିନରୁ ଜଣାପଡ଼ିଥିଲା । ସେ ଥିଲେ ଅନିସନ୍ଧିତ୍ସୁ । ତାଙ୍କର ବାଲ୍ୟଜୀବନଠାରୁ ଅନ୍ତିମ ଜୀବନ ପର୍ଯ୍ୟନ୍ତ ପର୍ଯ୍ୟାଲୋଚନା କଲେ କେବଳ ଦୁଃସାହସ ଓ ନିର୍ଭୀକତା ଦେଖିବାକୁ ମିଳେ । କୌଣସି ବିଷୟକୁ ନେଇ ସେ ହାର୍ ମାନୁନଥିଲେ । ଖୁବ୍ଶୀଘ୍ର କାମ ମାଧ୍ୟମରେ ତାହା କରି ଦେଖାଉଥିଲେ । ଅନେକ ଘାତ ପ୍ରତିଘାତର ଶିକାର ହୋଇଥିଲେ ହେଁ ସେ କେବେ ଭାଙ୍ଗି ପଡ଼ିନଥିଲେ । ସେ ଥିଲେ ବାସ୍ତବିକ୍ ଝଡ଼ର ଇଗଲ୍ ଓ ତେଜଷ୍କ୍ରିୟ ଦିପ୍ତୀମାନ ଉଜ୍ଜ୍ୱଳ ତାରକା । ତାଙ୍କର ଥିଲା ନିଜସ୍ୱ ପରିଚୟ ଓ ସ୍ୱତନ୍ତ୍ର ଦୂରଦୃଷ୍ଟି । କେମିତି ଓଡ଼ିଶା ସମଗ୍ର ବିଶ୍ୱରେ ପରିଚିତ ହେବା ସହିତ ନିଜର ଦକ୍ଷତା ଦେଖାଇପାରିବ ଏହି ଚିନ୍ତା ସବୁବେଳେ ତାଙ୍କୁ ଘାରୁଥିଲା । ରାଜନୀତି ଯୁଦ୍ଧରେ ସେଥିଲେ ସଫଳ ଯୋଦ୍ଧା । ଜୟ-ପରାଜୟ ସବୁ ଥିଲା ତାଙ୍କ ପାଇଁ ସମାନ । ଗୋଟିଏ ପରେ ଗୋଟିଏ ସଫଳତାର ଶିଢ଼ି ଚଢ଼ି ସେ ପାଲଟିଥିଲେ ମହାନ୍ ଜନନାୟକ । ପଞ୍ଚାୟତିରାଜ ବ୍ୟବସ୍ଥା ସହ ସର୍ବନିମ୍ନ ମଜୁରି ବୃଦ୍ଧି, ଆଦିବାସୀ ଓ ଦଳିତଙ୍କୁ ବଞ୍ôଚବାର ରାହା ସେ ଦେଖାଇଥିଲେ । ଓଡ଼ିଶା ଶିଳ୍ପସମୃଦ୍ଧ ହେଉ ଏଥିପାଇଁ ସେ ଅହରହ ଉଦ୍ୟମ ଜାରି ରଖିଥିଲେ । ରାଜ୍ୟର ବିକାଶ ସହ ଅନେକ ଲୋକାଭିମୁଖୀ କାର୍ଯ୍ୟ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ । ସୁନାବେଡା ମିଗ୍ କାରଖାନା, ପାରାଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ କାରଖାନା, ନାଲକୋ, ଚୌଦ୍ୱାରରେ ଲୁଗାକଳ, କଳିଙ୍ଗ ଆଇରନ୍ ଏଣ୍ଡ ଷ୍ଟିଲ ଇଣ୍ଡଷ୍ଟ୍ରିଜ୍, କଳିଙ୍ଗ ପାଇପ୍ କାରଖାନା, କଳିଙ୍ଗ ରେଫ୍ରିଜେସନ୍, କଳିଙ୍ଗ ଏୟାରଲାଇନ୍ସ,କଳିଙ୍ଗ ଖବରକାଗଜ ଭଳି ଅନେକ ପ୍ରକଳ୍ପ ତାଙ୍କର ସୃଷ୍ଟି । ସବୁ ପ୍ରକଳ୍ପ ଓ ଯୋଜନା ପୂର୍ବରୁ ‘କଳିଙ୍ଗ’ ଶବ୍ଦ ବ୍ୟବହାର କରିବା ନିଜର ମାତୃଭୂମି ପ୍ରତି ତାଙ୍କର ମମତା ଏଥିରୁ ସ୍ପଷ୍ଟ ବାରି ହୋଇପଡେ । ଶିକ୍ଷା-ସ୍ୱାସ୍ଥ୍ୟସେବା ସହିତ କୃଷିର ଉନ୍ନତି ଓ ମହିଳାଙ୍କ ବିକାଶ ମଧ୍ୟ ତାଙ୍କର ଥିଲା ସବୁଠାରୁ ବଡ଼ ସ୍ୱପ୍ନ । ଆଜି ଏହି ମହାନ୍ ଜନନାୟକ ଆମ ଗହଣରେ ନାହାଁନ୍ତି ସତ, କିନ୍ତୁ ତାଙ୍କୁ ଖାଲି ଓଡ଼ିଶା କାହିଁକି ସମଗ୍ର ବିଶ୍ୱ ସବୁଦିନ ପାଇଁ ମନେ ରଖିବ । କଳିଙ୍ଗର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଏଯାଏଁ ‘ଭାରତରତ୍ନ’ ନ ମିଳିବା ବାସ୍ତବିକ କ୍ଷୋଭର ବିଷୟ ବୋଲି ଅନେକ ବୁଦ୍ଧିଜୀବୀ ଓ ରାଜନୀତି ସମୀକ୍ଷକମାନେ ମତ ଦେବା ସହ ଏହି ସୁଯୋଗ୍ୟ ସନ୍ତାନଙ୍କ ସମ୍ମାନାର୍ଥେ ତୁରନ୍ତ ତାଙ୍କୁ ‘ଭାରତରତ୍ନ’ ପଦବୀରେ ଘୋଷିତ କରାଯାଉ ବୋଲି ଦାବି କରିଛନ୍ତି ।

Leave A Reply

Your email address will not be published.