ନବରଙ୍ଗପୁରରେ କରୋନା କାଳରେ ବାପା ମାଆ ହରାଇଛନ୍ତି ୫୨ ଜଣ ପିଲା

162

ନବରଙ୍ଗପୁର : ମହାମାରୀ କରୋନା ସମୟରେ ବହୁ ଶିଶୁ ସେମାନଙ୍କର ବାପା ମାଆଙ୍କୁ ହରାଇଛନ୍ତି । ସେଥି ମଧ୍ୟରୁ କିଏ ବାପାକୁ ହରାଇଛି ତ ଅନ୍ୟକିଏ ମାଆଙ୍କୁ ହରାଇଛି । ନବରଙ୍ଗପୁର ଜିଲାରେ ଏଭଳି ୫୨ ଜଣ ପିଲା ରହିଥିବା ସରକାରୀ ଭାବେ ଜଣାପଡିଛି । କରୋନା କାଳରେ ଗତ ୨୦୨୦ ମସିହାର ଏପ୍ରିଲ ୨୦ ତାରିଖରୁ ଆଜି ପର୍ଯ୍ୟନ୍ତ ଜିଲାର ୫୨ ଜଣ ୦ରୁ ୧୮ ବର୍ଷର ଶିଶୁ ଓ ବାଳକ ବାଳିକା ବାପା ମାଆ ଛେଉଣ୍ଡ ହୋଇଛନ୍ତି । ଜିଲା ପ୍ରଶାସନ ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବାପା ମାଆ ହରାଇଥିବା ଶିଶୁ ଓ ବାଳକ ବାଳିକାମାନଙ୍କର ଚିହ୍ନଟ କରାଯାଇଛି । ଏହି ସମସ୍ତ ଚିହ୍ନଟ ୫୨ ଜଣଙ୍କୁ ଶିଶୁ ମଙ୍ଗଳ କେନ୍ଦ୍ରରେ ହାଜର କରାଯାଇ ସେମାନଙ୍କର ସମସ୍ତ ତଥ୍ୟ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଇଛି । କୋଭିଡରେ ୧୬ଜଣ ପିଲା ଛେଉଣ୍ଡ ହୋଇଛନ୍ତି । ଜଣେ ବାଳିକା ବାପା ମାଆଙ୍କୁ ହରାଇଥିବାବେଳେ ୧୫ ଜଣ ବାପା ମାଆଙ୍କର ମଧ୍ୟରୁ ଜଣଙ୍କୁ ହରାଇଛନ୍ତି । ସେଥିମଧ୍ୟରୁ ୬ଜଣ ବାଳିକା ଓ ୯ଜଣ ବାଳକ ରହିଛନ୍ତି ।

ସେହିପରି ଅଣକୋଭିଡରେ ୩୬ ଜଣ ଛେଉଣ୍ଡ ହୋଇଛନ୍ତି । ୨୧ ଜଣ ବାପାମାଙ୍କୁ ହରାଇଥିବାବେଳେ ସେଥି ମଧ୍ୟରେ ୧୬ଜଣ ବାଳିକା ଓ ୫ଜଣ ବାଳକ ରହିଛନ୍ତିି । ୧୫ଜଣ ବାପାମାଙ୍କର ମଧ୍ୟରୁ ଜଣଙ୍କୁ ହରାଇଥିବାବେଳେ ସେଥିରୁ ୧୦ଜଣ ବାଳିକା ଓ ୫ଜଣ ବାଳକ ରହିଛନ୍ତି । ଏହି ଚିହ୍ନଟ ୫୨ ଜଣ ଛେଉଣ୍ଡ ପିଲାଙ୍କ ମଧ୍ୟରୁ ୧୫ ଜଣଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇଛି । ୨୨ଜଣଙ୍କୁ ମାସିକ ୨ହଜାର ଟଙ୍କା ଆର୍ଥୀକ ସହାୟତା ଦିଆଯାଉଛି । ୬ଜଣ ପିଲା ନିଜ ପରିବାରରେ ରହୁଥିବାବେଳେ ୯ ଜଣ ବାପା କିମ୍ବା ମାଆଙ୍କର ପାଖରେ ରହୁଥିବା ଜଣାଯାଇଛି । ନବରଙ୍ଗପୁର ଜିଲାର ୧୦ଟି ବ୍ଲକ ମଧ୍ୟରୁ ୮ଟି ବ୍ଳକରେ ଏହି ଛେଉଣ୍ଡ ପିଲା ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.