ଡିଜିଟାଲ ନେଣଦେଣରେ ଭାରତ ନମ୍ବର ୧ : ବହୁ ପଛରେ ଚୀନ୍ ଓ ଆମେରିକା

154

ନୂଆଦିଲ୍ଲୀ: ଦେଶରେ ଅନଲାଇନ୍ ନେଣଦେଣକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି ଜନତା । ଇଲେକ୍ଟ୍ରୋନିକ୍ ବା ଅନଲାଇନ୍ ମାଧ୍ୟମରେ ଅଧିକାଂଶ ଟ୍ରାଞ୍ଜାକ୍ସନ କରୁଛନ୍ତି । ବିଲ୍ ପେମେଣ୍ଟଠୁ ସପିଂ ପର୍ଯ୍ୟନ୍ତ ଅନେକ ଅନଲାଇନରେ ପେମେଣ୍ଟ କରୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ ୨୦୨୦ରେ ଦେଶରେ ହୋଇଥିବା ଡିଜିଟାଲ ଟ୍ରାଞ୍ଜାକ୍ସନ ଚୀନ୍ ଓ ଆମେରିକାଠୁ ବହୁତ ଆଗରେ ରହିଛି । ଏସିଆଇ ୱାର୍ଲଡ୍ ୱାଇଡର ରିପୋର୍ଟ ଅନୁସାରେ, ଗତବର୍ଷ ଦେଶରେ ପ୍ରାୟ ୨୫.୫ ବିଲିୟନ ବା ୨୫୦୦ କୋଟିରୁ ଅଧିକ ରିଅଲ ଟାଇମ୍ ଟ୍ରାଞ୍ଜାକ୍ସନ ହୋଇଥିବା ରେକର୍ଡ କରାଯାଇଛି ।

ଏହି ସଂଖ୍ୟା ଚାଇନାରେ ୧୫.୭ ବିଲିୟନ ଥିବା ବେଳେ ଦକ୍ଷିଣ କୋରିଆରେ ୬ ବିଲିୟନ,ଥାଇଲାଣ୍ଡରେ ୫.୨ ବିଲିୟନ ଓ ୟୁକେରେ ୨.୮ ବିଲିୟନ ରହିଛି । ଏହି ତାଲିକାରେ ଆମେରିକା ବହୁ ପଛରେ ରହିଯାଇଛି । ଗତବର୍ଷ ଏଠାରେ ମାତ୍ରା ୧.୨ ବିଲିୟନ ଅନଲାଇନ୍ ଟ୍ରାଞ୍ଜାକ୍ସନ ହୋଇଛି । ଇନଷ୍ଟାଣ୍ଟ୍ ପେମେଣ୍ଟ ଦ୍ୱାରା ୧୫.୬ ପ୍ରତିଶତ ଟ୍ରାଞ୍ଜାକ୍ସନ ହୋଇଥିବା ବେଳେ ଅନ୍ୟ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ୨୨.୯ ପ୍ରତିଶତ ଟ୍ରାଞ୍ଜାକ୍ସନ ହୋଇଛି । ତେବେ ଏହା ସତ୍ତେ୍ୱ ନଗଦ କାରବାର ମଧ୍ୟ ପଛରେ ନାହିଁ । ଏବେବି ନଗଦ କାରବାର ଦେଶରେ ସିଂହଭାଗ ଅକ୍ତିଆର କରିଛି ।

ଯାହା ମୋଟ୍ ଟ୍ରାଞ୍ଜାକ୍ସନର ୬୧.୪ ପ୍ରତିଶତ ଅଟେ । ଏହି ସଂଖ୍ୟା ୨୦୨୫ରେ ବଦଳିବ ବୋଲି ଅନୁମାନ କରାଯାଉଛି । ଇନଷ୍ଟାଣ୍ଟ ପେମେଣ୍ଟ ଭଲ୍ୟୁମ ୨୦୨୫ସୁଦ୍ଧା ୩୭ ପ୍ରତିଶତ ହେବା ନେଇ ଆକଳନ କରାଯାଇଥିବା ବେଳେ ଅନ୍ୟ ଇଲେକ୍ଟ୍ରୋନିକ୍ ଟ୍ରାଞ୍ଜାକ୍ସନର ହାର ମଧ୍ୟ ୩୪ ପ୍ରତିଶତକୁ ବୃଦ୍ଧି ପାଇପାରେ । ଏପରି ହେଲେ ନଗଦ ଅର୍ଥ କାରବାର ୨୮ ପ୍ରତିଶତକୁ ଖସି ଆସିବ ।

୨୦୨୪ରେ ହିଁ ଅନଲାଇନ୍ ଟ୍ରାଞ୍ଜାକ୍ସନ ୫୦ ପ୍ରତିଶତ ଟପିପାରେ ବୋଲି ଆଶା କରାଯାଉଛି । ନ୍ୟାଶନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅନୁସାରେ, ଏନପିସିଆଇ ଦେଶରେ ପିପିଆଇ ଓ ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ ଡିଜିଟାଲାଇଜେସନ୍ ବୃଦ୍ଧି ପାଇଛି । ମାସକୁ ମାସ ୟୁପିଆଇ ଟ୍ରାଞ୍ଜାକ୍ସନ ହାରରେ ବୃଦ୍ଧି ଘଟୁଥିବା ଲକ୍ଷ୍ୟ କରାଯାଉଛି । ଫେବ୍ରୁଆରୀରେ ଅପେକ୍ଷା ମାର୍ଚ୍ଚ ୨୦୨୧ରେ ୪.୨୫ ଲକ୍ଷ କୋଟି ଟଙ୍କାର ୟୁପିଆଇ ଟ୍ରାଞ୍ଜାକ୍ସନ କରାଯାଇଛି ।

Leave A Reply

Your email address will not be published.