ଖୁବ୍‌ ଶୀଘ୍ର ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ ଆରମ୍ଭ କରିବ ଭାରତ: ପ୍ରଧାନମନ୍ତ୍ରୀ ମୋଦୀ

183

ନୂଆଦିଲ୍ଲୀ: ଅବିଳମ୍ବେ ଭାରତ ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ ଆରମ୍ଭ କରିବ ବୋଲି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା । ଯାହାକି ବିଶ୍ୱର ସବୁଠୁ ବଡ ଟିକାକରଣ ପ୍ରକ୍ରିୟା । କାରଣ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ସ୍ଥିତିରେ ଲୋକଙ୍କ ପାଖରେ କିପରି ଟିକା ପହଂଚିବ ତାକୁ ପ୍ରାଥମିକତା ଦେଉଛନ୍ତି ସରକାର ।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ‘ନ୍ୟାସ୍‌ନାଲ୍‌ ମେଟ୍ରୋଲୋଜି କନ୍‌କ୍ଲେଭ୍‌’ରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମସ୍ତ ବୈଜ୍ଞାନିକ ଓ ଟେକ୍ନିସିଆନ୍‌ମାନଙ୍କ ପାଖରେ ସମଗ୍ର ଦେଶ ଋଣୀ । ଯଦି ଆମେରିକା ସହିତ ଏହି ଟିକାକରଣ ପ୍ରକ୍ରିୟାକୁ ତୁଳନା କରାଯାଏ ତେବେ ଭାରତ ବେଶ ଯୋଜନାବଦ୍ଧ ଭାବେ ଏହି କ୍ଷେତ୍ରରେ ଆଗଉଛି । ଟିକାକରଣ ଆରମ୍ଭ ହେବା ପୂର୍ବରୁ ସାରାଭାରତରେ ଚାଲିଛି ଡ୍ରାଏ ରନ । ଡ୍ରାଏ ରନ ବା ଡ୍ରିଲ ଚାଲିଥିବା ସମୟରେ ପ୍ରକ୍ରିୟାରେ ଥିବା ତ୍ରୁଟିକୁ ଖୋଜି ବାହାର କରାଯାଉଛି ଯାହା ଫଳରେ ଟିକାକରଣ ଯେପରି ସଫଳ ହୋଇପାରିବ ସେ ଦିଗରେ ସରକାର ବେଶ ଯତ୍ନବାନ ଅଛନ୍ତି । ଟିକାକରଣ ବୁଥରେ ଉଚିତ ତାପମାତ୍ରାରେ କିପରି ଟିକା ପହଂଚି ପାରିବ ସେନେଇ ପ୍ରୟାସ ଜାରି ରହିଛି ।

‘ନ୍ୟାସ୍‌ନାଲ୍‌ ଆଟୋମିକ୍‌ ଟାଇମ୍‌ସ୍କେଲ୍‌’ ଏବଂ ‘ଭାରତୀୟ ନିର୍ଦେଶକ ଦ୍ରବ୍ୟ’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ‘ନ୍ୟାସ୍‌ନାଲ୍‌ ଏନ୍‌ଭାଇରୋନ୍‌ମେଣ୍ଟାଲ୍‌ ଷ୍ଟାଣ୍ଡାର୍ଡ ଲାବ୍ରୋଟରି’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ । ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ପ୍ରସଙ୍ଗ ଉତ୍ଥାପନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ‘ଆମେ ଭାରତୀୟ ଉତ୍ପାଦରେ ବିଶ୍ୱକୁ ପୂର୍ଣ୍ଣ କରିଦେବାକୁ ନ ଚାହିଁଲେ ବି ବିଶ୍ୱର ପ୍ରତ୍ୟେକ ସ୍ଥାନରେ ଭାରତୀୟ ଉତ୍ପାଦର ଗ୍ରାହକମାନଙ୍କ ହୃଦୟ ଜୟ କରାଯିବା ଆବଶ୍ୟକ। ‘ମେଡ୍‌ ଇନ୍‌ ଇଣ୍ଡିଆ’ର ବୈଶ୍ୱିକ ଚାହିଦା ଏବଂ ଗ୍ରହଣୀୟତା ଆବଶ୍ୟକ ବୋଲି ଆମେ ସୁନିଶ୍ଚିତ ହେବା ଦରକାର । ସମଗ୍ର ଦେଶରେ ଥିବା ଶିକ୍ଷା ପ୍ରତିଷ୍ଠାନର ଶିକ୍ଷାର୍ଥୀମାନଙ୍କ ସହ ଆଳାପ ଆଲୋଚନା କରି ସେମାନଙ୍କ ଅଭିଜ୍ଞତା ସବୁକୁ ପରବର୍ତ୍ତୀ ପିଢ଼ି ସହ ସେୟାର୍‌ କରିବାକୁ ସେ ‘ସିଏସ୍‌ଆଇଆର୍‌’ ବୈଜ୍ଞାନିକମାନଙ୍କୁ କହିଛନ୍ତି। ଫଳରେ ଆଗାମୀ ଦିନ ପାଇଁ ନୂଆ ପିଢ଼ିର ଯୁବ ବୈଜ୍ଞାନିକ ସୃଷ୍ଟି ପାଇଁ ପ୍ରସ୍ତୁତି ହୋଇପାରିବ ବୋଲି ସେ ମତ ଦେଇଛନ୍ତି।

Leave A Reply

Your email address will not be published.