ରାଜ୍ୟରେ ଢେଉ ଖେଳୁଛି ସଂକ୍ରମଣ

164

ଭୁବନେଶ୍ୱର : ରାଜ୍ୟରେ ଏବେ ପ୍ଲାଟିଂ କର୍ଭ ବା ସମାନ୍ତରାଳ ସ୍ଥିତିରେ କରୋନା । ସମାନ୍ତରାଳ ଓ ଢେଉ ଭଳି ସ୍ଥିତିରେ ରହୁଛି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । କେତେବେଳେ ଉପରେ ତ ଆଉ କେତେବେଳେ ଡାଉନ ସ୍ଥିତିରେ ରହୁଛି ସଂକ୍ରମଣ । ଗତକାଲି ରାଜ୍ୟରେ ପଜିଟିଭ ସଂଖ୍ୟା ୮ ହଜାର ହୋଇଥିଲା । ଆଜି ତାହା ୭ ହଜାର ପାଖାପାଖି ପହଞ୍ଚିଛି । ହେଲେ ଏହାକୁ ନେଇ କୌଣସି ଭୟଭୀତ ହେବାର ଆବଶ୍ୟକ ନାହିଁ । କୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି । ସେ ଆହୁରି କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା କମ୍ ଅଛି । କରୋନା ହୋଇ ଅନ୍ୟ ରୋଗ ଯୋଗୁ ଲୋକେ ମୃତ୍ୟୁବରଣ କରୁଛନ୍ତି । ଅନ୍ୟପକ୍ଷେ ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ଅଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ପୁରୀ । ଖୋର୍ଦ୍ଧା ଜିଲ୍ଲାରେ ଟିକାକରଣ ବନ୍ଦ ରହିଲେ ମଧ୍ୟ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଟିକାକରଣ ଜାରି ରହିବ ବୋଲି ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି । ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରୁଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଛନ୍ତି ସେଥିଲାଗି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଅମାନିଆ ହେଲେ ଲାଗୁ ହୋଇପାରେ ସଟଡାଉନ୍ । ଯେଉଁ ସ୍ଥାନରେ ଲୋକେ କୋଭିଡ୍ ନିୟମ ନମାନିବେ ଏବଂ ଅଧିକ ଭିଡ଼ ହେବ ସେଠାରେ ଲକ୍ଡାଉନ ଓ ସଟ୍ଡାଉନ୍ ଭଳି ଚରମ ପଦକ୍ଷେପ ନିଆଯାଇପାରେ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

Leave A Reply

Your email address will not be published.