ପୁରୀ : ଆଜି ପୁରୀ ସମୁଦ୍ର କୂଳେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । କୁଢ଼ କୁଢ଼ ମୃତ ଜେଲିଫିସ୍ ଦିଗବାରିଣୀ ସମୁଦ୍ର କୂଳ ନିକଟରେ ଲାଗିଥିବା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ତଳେ ପେଣ୍ଠକଟା ସମୁଦ୍ର କୂଳେ ହଜାର ହଜାର ସଂଖ୍ୟାରେ ଡିସ୍କୋ କୋକଲି ମାଛ ମରି ପଡିଥିବା ଦେଖିବାକୁ ମିଳିଥିଲା । ପୁରୀ ସମୁଦ୍ର କୂଳେ ଏଭଳି ମୃତ ଜଳଜୀବଙ୍କୁ ଦେଖି ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି । ସମ୍ଭାବ୍ୟ ୟାସ ବାତ୍ୟା ପ୍ରଭାବରେ ସମୁଦ୍ରରେ ପ୍ରବଳ ଲହଡ଼ି ଯୋଗୁଁ ମୃତ ଜେଲିଫିସ୍ ଭାସି ଆସି କୂଳରେ ଲାଗୁଥିବା କେତେକ ମତ୍ସ୍ୟଜିବୀ କହିଛନ୍ତି ।
ଅନ୍ୟପକ୍ଷରେ ସହରର ସମସ୍ତ ନର୍ଦ୍ଦମା ଜଳ ବାଙ୍କୀ ମୁହାଣ ଦେଇ ସମୁଦ୍ରରେ ସିଧାସଳଖ ମିଶୁ ଥିବାରୁ ଏହି ଅଂଚଳର ଜଳରାଶି ପ୍ରଦୂଷିତ ହେଉଥିବା ଅଭିଯୋଗ ହେଉଛି । ସମୁଦ୍ର କୂଳେ କୂଳେ କୋଟି କୋଟି ଟଙ୍କା ବ୍ୟୟରେ ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ଡ୍ରେନ୍ ରେ କେତେକ ହୋଟେଲ ଓ ଜଳଖିଆ ଦୋକାନୀଙ୍କ ବର୍ଜ୍ୟଜଳ ଡ୍ରେନରେ ଯାଇ ବାଙ୍କୀ ମୁହାଣ ଓ ହୋଟେଲ ଷ୍ଟରଲିନ୍ ନିକଟ ସମୁଦ୍ରରେ ମିଶୁଛି । ଏ ସମ୍ପର୍କରେ ମତ୍ସ୍ୟ ବିଭାଗ, ପରିବେଶ ବିଭାଗ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଅନୁଧ୍ୟାନ କରିବା ପାଇଁ ମତ୍ସ୍ୟଜିବୀ ମାନେ ଦାବି କରିଛନ୍ତି ।