ଝଲସିବ ଚନ୍ଦ୍ରଭାଗା-ତଳସାରୀ ବେଳାଭୂମି

155

ଭୁବନେଶ୍ୱର: ପର୍ଯ୍ୟଟନ ରାଜ୍ୟ ସରକାରଙ୍କର ଅଗ୍ରାଧିକାର କ୍ଷେତ୍ର ଭାବରେ ବିକାଶ ଲାଭ କରିବା ଆରମ୍ଭ କରିଛି । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶ ବିଦଶେର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ କରିଛନ୍ତି । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ ରାଜ୍ୟରେ ପୁରୀ-କୋଣାର୍କ ମେରାଇଡ଼ ଡ୍ରାଇଭର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ-ଉଦୟପୁର ବେଳାଭୂମିରେ ଭିତିଭୂମିର ବିକାଶ କରି ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇଟି ମହତ୍ୱାକାଂକ୍ଷୀ ଯୋଜନାର ରୂ ।ୟନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଯୋଜନାରେ ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧ କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବ । ଏଥିାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ୍ରେ ଜଳକ୍ରୀଡ଼ା, ଆମୋଦପ୍ରମୋଦ,ସୁଦୃଶ୍ୟ ଚଲାପଥ, ସାଇକେଲ ଟ୍ରାକ୍,ସମୁଦ୍ରର କୂଳେ କୂଳେ କାଠର ଚଲାପଥ,ମୁକ୍ତ ରଙ୍ଗମଞ୍ଚ, ଛୋଟ ପିଲାଙ୍କ ଖେଳ ପାଇଁ ଅଞ୍ଚଳ, ସୂର୍ଯ୍ୟେଦୟ ଦେଖିବା ପାଇଁ ମଞ୍ଚ,ଦୁଃସାହସିକ କ୍ରୀଡ଼ା ଆଦି ଅତ୍ୟାଧୁନିକ ସୁବିଧା ସେହିସବୁ ସ୍ଥାନ ମାନଙ୍କରେ ଉପଲବ୍ଧ ହେବ । ଏତଦ୍ ବ୍ୟତୀତ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ତା, ଲ୍ୟାଣ୍ଡସ୍କାପିଙ୍ଗ, ବାଲି ସୁରକ୍ଷା ବ୍ୟବସ୍ଥା, ସୌର ଆଲୋକ ସୁବିଧା ସହିତ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରାଯିବ । ଏହି କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ପର୍ଯ୍ୟଟକମାନେ କେବଳ ଦିନ ସମୟରେ ହିଁ ଏହି ସବୁକୁ ଉପଭୋଗ କରିପାରିବେ ।

ଅନ୍ୟପକ୍ଷରେ ବାଲେଶ୍ୱରର ତଳସାରୀର ବେଳାଭୂମିରେ ପର୍ଯ୍ୟଟକମାନେ ଏକାଧିକ ଦିନ ରହଣୀ କରି ଯେଭଳି ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ, ସେଥିପାଇଁ ସେଠାରେ ୨.୪ କିଲୋମିଟର ଅଞ୍ଚଳକୁ ବିକଶିତ କରାଯିବ । ଏଥିପାଇଁ ସେଠାରେ ତାରକା ହୋଟେଲ ଏବଂ ବଜେଟ ହୋଟେଲ ନିର୍ମାଣ କରିବା ପାଇଁ ଉତ୍ସାହିତ କରାଯିବ । ଏହି ବେଳାଭୂମିର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଯେପରି ମନଭରି ଉପଭୋଗ କରିପାରିବେ, ସେଥିପାଇଁ ରୁଚିପୂର୍ଣ୍ଣ ଭାବରେ ପାଭିଲିଅନ ସହିତ ବର୍ଷା ଆଶ୍ରୟସ୍ଥଳ, କିଓସ୍କ, ସିଟିଂ ଆଇଜ୍ଲାଣ୍ଡ, ରେଷ୍ଟୁରାଣ୍ଟ ଆଦି ସୁବିଧା ପର୍ଯ୍ୟଟକ ମାନଙ୍କ ପାଇଁ କରାଯିବ । ଏତଦ୍ ବ୍ୟତୀତ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର କଳା ସଂସ୍କୃତି ସହ ପରିଚିତ କରିବା ପାଇଁ ଏକ ଆର୍ଟ ଏବଂ କ୍ରାଫ୍ଟ ପ୍ଲାଜା ମଧ୍ୟ ନିର୍ମାଣ କରାଯିବ । ଏସବୁ ଭିତିଭୂମି କାର୍ଯ୍ୟ ଅକ୍ଟୋବର ୨୦୨୧ ସୁଦ୍ଧା ଲକ୍ଷ୍ୟ ରଖାଯାଇଛି ।

ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ ଏବଂ ଲାଇଫ ଗାର୍ଡ଼ମାନଙ୍କୁ ମୁତୟନ କରାଯିବ । ଏହିସବୁ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ, ଏଜେନ୍ସି ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ଷ୍ଟାଣ୍ଡାର୍ଡ଼ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଗାମୀ ୨ ବର୍ଷ ମଧ୍ୟରେ ପୀରଜାହାନିଆ, ନିଳାଦ୍ରୀ, ମୁହାଣ ଆଦି ପୁରୀ ଜିଲ୍ଲାରେ ଥିବା ବେଳାଭୂମି ଏବଂ ଗଞ୍ଜାମ ଜିଲ୍ଲାର ହରିପୁର ଓ ପତିସୋନପୁର ବେଳାଭମୂିକୁ ବ୍ଲୁ ଫ୍ଲାଗ୍ ବେଳାଭୂମି ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ଓଟିଡିସିର ଅଧ୍ୟକ୍ଷା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଜଙ୍ଗଲ ଓ ପରବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ବଭାଗର ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଏବଂ ପୁରୀ ଓ ବାଲେଶ୍ୱରର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.