-ମାଓବାଦୀଙ୍କ କଥା ଓ କାମରେ ପାର୍ଥକ୍ୟ ଓ ନିରୀହ ଜନତାଙ୍କ ଉପରେ ଅତ୍ୟାଚାର ଦେଖି ଅସ୍ତ୍ର ଛାଡିଲେ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି କେକେବିଏନ ଡିଭିଜନ ମାଓ ସଂଗଠନର ଜଣେ ମହିଳା କ୍ୟାଡର ମାଓବାଦୀ କାନ୍ତି ମଲ୍ଲିକ ଓରଫ ଅମିତା । ମାଓ ସଂଗଠନର କଥା ଓ କାମରେ ପାର୍ଥକ୍ୟ ଏବଂ ଜିଲ୍ଲାର ଗ୍ରାମାଂଚଳରେ ଥିବା ସରଳ ନିରୀହ ଲୋକଙ୍କ ଉପରେ ସଂଗଠନ ପକ୍ଷରୁ ପୋଲିସ ଇନଫର୍ମର ନାମରେ ହତ୍ୟା କରାଯିବା ସହିତ ସାଧାରଣ ଲୋକଙ୍କ ଉନ୍ନତି ପାଇଁ କାମ କରିବା କହି ଜିଲ୍ଲାର ନିରୀହ ଆଦିବାସୀ ମାନଙ୍କୁ ଅତ୍ୟାଚାର କରାଯାଉଥିବା ଜାଣିବାରେ ସେ ସଂଗଠନ ଛାଡିବାକୁ ନିଷ୍ପତି ନେଇଥିବା କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, କାନ୍ତି ମଲ୍ଲିକଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଂଚଳର କୁଟିକିଆ ଗ୍ରାମ ପଂଚାୟତର ଗାଙ୍ଗାରାଙ୍ଗାରେ । କାନ୍ତିଙ୍କୁ ବର୍ତମାନ ୨୨ ବର୍ଷ ବୟସ । ସେ ୨୦୧୮ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲେ । ଅନ୍ୟ ରାଜ୍ୟର ମାଓ ନେତା ମାନେ ଜିଲ୍ଲାର ଆଦିବାସୀ ମାନଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ସେମାନଙ୍କୁ ସଂଗଠନରେ ସାମିଲ କରିବା ସହିତ ପୋଲିସ ସହିତ ଗୁଳି ବିନିମୟ ବେଳେ ଆମ ଭଳି ସରଳ ନିରୀହ କ୍ୟାଡର ମାନଙ୍କୁ ପୋଲିସ ଗୁଳି ଆଗକୁ ପଠେଇ ନିଜ ଜୀବନ ବଂଚାଉଛନ୍ତି ଏବଂ ସଂଗଠନର ଛତିଶଗଡ ଏବଂ ଆନ୍ଧ୍ର କ୍ୟାଡରର ମାଓ ନେତା ମାନେ ସେମାନଙ୍କ ସ୍ୱର୍ଥ ଓ ସୁବିଧା ପାଇଁ ପାତରଅନ୍ତର ନୀତି ଆପଣେଇବା ସହିତ କନ୍ଧମାଳ ଜିଲ୍ଲାର ଆଦିବାସୀ ମାନଙ୍କୁ ନିଜ ନିଜ ଭିତରେ ଲଢେଇ କରି ଭଳି ପରିସ୍ଥିତି ସୃଷ୍ଟି କରି ନିଜେ ସୁବିଧାରେ ରହି ଲାଭ ଉଠାଉଛନ୍ତି । ଯୋଉଁ ମାନେ ସେମାନଙ୍କ କଥାକୁ ଅମାନ୍ୟ କରୁଛନ୍ତି ସେମାନଙ୍କୁ ପୋଲିସ ଇନଫର୍ମର ନାମରେ ନିର୍ଦ୍ଦୟ ଭାବରେ ହତ୍ୟା କରୁଛନ୍ତି ବୋଲି କହିଛନ୍ତି ପୋଲିସ ଆଗରେ ।
ଅନ୍ୟ ପକ୍ଷରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ମାଓବାଦୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଥଇଥାନ ବ୍ୟବସ୍ଥାକୁ ଦେଖି ସେ ଏହି ନିଷ୍ପତି ନେଇଥିବା କହିଛନ୍ତି । ଅପରପକ୍ଷରେ ପୋଲିସ ପକ୍ଷରୁ ନିୟମିତ ଭାବରେ କୁମ୍ବିଙ୍ଗ ଅପରେସନ ଜାରି ରହିଛି ସେଥିପାଇଁ ସେ ତାଙ୍କ ଜୀବନକୁ ଅସୁରକ୍ଷିତ ମଣିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମନସ୍ଥ କରିଛନ୍ତି । ତେଣୁ ସେ ଅନ୍ୟ ମାଓବାଦୀ ମାନଙ୍କୁ ହିଂସା ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ନେବାକୁ ଆହ୍ୱାନ କରିଛନ୍ତି । କନ୍ଧମାଳ ଆରକ୍ଷୀ ଅଧିକ୍ଷକ କାନ୍ତି ମଲ୍ଲିକଙ୍କୁ ଆଜି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ସରକାରଙ୍କର ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ଥଇଥାନ ବ୍ୟବସ୍ଥାର ଲାଭ ପାଇବା ସହିତ ସେ ଚାହିଁଲେ ତାଙ୍କୁ ସରକାରଙ୍କ ତରଫରୁ ଘର ଏବଂ ତାଙ୍କ ଜିବନ ଜୀବିକା ପାଇଁ ଆବଶ୍ୟକୀୟ ସୁବିଧା ଏବଂ ପାଠପଢା ତଥା ତାଙ୍କ ଇଚ୍ଛା ମୁତାବକ ଯେ କୌଣସି ତାଲିମ୍ ପାଇଁ ମଧ୍ୟ ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଆହ୍ୱାନକୁ ଗ୍ରହଣ କରି ମାଓବାଦୀ ମାନେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କନ୍ଧମାଳ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।