କୁଆଖିଆ ପୁଲିସକୁ ସଫଳତା, ଲୁଟ୍ ଅଳଙ୍କାର ଜବତ : ୩ ଲୁଟେରା ଗିରଫ

182

ଧର୍ମଶାଳା : ଯାଜପୁର ଜିଲା କୁଆଖିଆ ଥାନା ପୋଲିସକୁ ମିଳିଛି ସଫଳତା । କୁଆଖିଆ ଥାନା ଅଧିନସ୍ଥ ମଧୁବନ ବଜାରରୁ ସୁନା ଅଳଙ୍କାର ଲୁଟ୍ ଘଟଣାରେ ସମ୍ପୃକ୍ତ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏଥି ସହ ଲୁଟ୍ ହୋଇଥିବା ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି । ୮୪ ଗ୍ରାମର ସୁନା ଓ ୪ କେଜି ରୂପା ସାମଗ୍ରୀ ସହ ଏକ ବାଇକକୁ ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲା ଯଖପୁରା ଥାନା ଅଂଚଳର ଦିପକ ପ୍ରଧାନ ଓ ପ୍ରକାଶ ପ୍ରଧାନ, ପିପିଲି ଥାନା ଅଂଚଳର ରାଜା ଶିକାରୀ ବୋଲି ଜଣାପଡିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ମନୋଜ ସ୍ୱାଇଁ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଗତ ମାସ ୨୧ ତାରିଖରେ ମଧୁବନ ବଜାରରେ ଥିବା ଏକ ଜୁଏଲାରୀ ଦୋକାନରୁ ଲୁଟ୍ ହୋଇଥିବା ନେଇ ଥାନାରେ ମାଲିକ ସୁମନ କାମିଲା ଅଭିଯୋଗ କରିଥିଲେ । ସୁମନ ଏକ ବ୍ୟାଗରେ ସୁନା, ରୂପା ଅଳଙ୍କାର ଭର୍ତି କରି ଦୋକାନକୁ ଆସିଥିଲେ । ଦୋକାନରେ ବ୍ୟାଗକୁ ରଖି ପାଣି ଆଣିବାକୁ ଯାଇଥିଲେ । ସେହି ସମୟରେ କେହି ଦୃର୍ବୃତ ଉକ୍ତ ଅଳଙ୍କାର ଭର୍ତି ବ୍ୟାଗକୁ ନେଇ ପଳାଇଥିଲେ । ଯାହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଫୁଟେଜକୁ ଯାଂଚ୍ କରିବା ସହ ତଦନ୍ତ ଚଳାଇଥିଲା । ଆଜି ଲୁଟ୍ ହୋଇଥିବା ସୁନା ରୂପା ଅଳଙ୍କାର ଜବତ କରିବା ସହ ଘଟଣାରେ ବ୍ୟବହୃତ ବାଇକ୍ ଓ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।

Leave A Reply

Your email address will not be published.