ହସିଲା ବଡଦାଣ୍ଡ ଆଉ ହସିଲେ ଭକ୍ତ ସମାଜ, ଦୀର୍ଘ ୯ ମାସ ପରେ ପୁଣିଥରେ ଚଳଚଞ୍ଚଳ ହୋଇପଡିଛି ପୁରୀ ଶ୍ରୀମନ୍ଦିର

153

ସର୍ବସାଧାରଣ ଭକ୍ତଙ୍କ ସହ ମହାପ୍ରଭୁଙ୍କ ହୋଇଛି ମହାମିଳନ

ପୁରୀ: ହସିଲା ବଡଦାଣ୍ଡ ଆଉ ହସିଲେ ଭକ୍ତ ସମାଜ । ଦୀର୍ଘମାସ ପରେ ରତ୍ନସିଂହାସନ ଉପରେ କାଳିଆ ସାଆନ୍ତେଙ୍କୁ ଦର୍ଶନ କରି ବେଶ୍ ଭାବବିହୋଳ ହୋଇପଡିଥିଲେ ଭକ୍ତ ଶ୍ରଦ୍ଧାଳୁ । ସେଥିପାଇଁ ଆଜି ସକାଳୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ,ଶ୍ରଦ୍ଧାଳୁ ମାର୍କେଟ ଛକରେ ଏକତ୍ରିତ ହୋଇଥିଲେ । ଶ୍ରଦ୍ଧାଳୁ ମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ସହ ଆଧାର କାର୍ଡ ଧରି ବ୍ୟାରିକେଡ଼ରେ ପ୍ରବେଶ କରିଥିଲେ । ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟ ନିକଟରେ ପହଁଚିବା ପରେ ହୋଇଥିବା କିଓସ୍କୋରେ ପୁନଃ କୋଭିଡ ନେଗେଟିଭ ରିପୋର୍ଟ ଓ ପରିଚୟ ପତ୍ର ଦେଖାଇ ଫଟୋଗ୍ରାଫି କରିବା ପରେ ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ । ଅତି ସୁନ୍ଦର ଭାବେ ପ୍ରଭୁଙ୍କ ଦର୍ଶନ କରିବା ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ ।

ଦୀର୍ଘ ୯ ମାସ ପରେ ପୁଣିଥରେ ଚଳଚଞ୍ଚଳ ହୋଇପଡିଛି ପୁରୀ ଶ୍ରୀମନ୍ଦିର । କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା । ଫଳରେ କୋଟି କୋଟି ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ । ପ୍ରଥମେ ଡିସେମ୍ବର ୨୩ ରୁ ୩୫ ସେବାୟତ ପରିବାର ଓ ୨୬ ରୁ ୩୧ପୁରୀ ପୌରପାଳିକା ଅନ୍ତର୍ଗତ ସହରବାସୀ ପ୍ରଭୁଙ୍କ ଦର୍ଶନ କରିଥିଲେ । ଜାନୁଆରୀ ୧ ଓ ୨ ଶ୍ରୀମନ୍ଦିର ବନ୍ଦ ରହିବା ପରେ ଆଜିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।ରାତ୍ର ପହୁଡ଼ ଯାଏଁ ଯେତେ ବି ଶ୍ରଦ୍ଧାଳୁ କୋଭିଡ ନେଗେଟିଭ ରିପୋର୍ଟ ଧରି ବ୍ୟାରିକେଡ଼ରେ ଆସିବେ ସେମାନଙ୍କ ପାଇଁ ଦର୍ଶନ ସୁଯୋଗ ମିଳିବ । ପୁରୀ ସହରବାସୀଙ୍କ ପାଇଁ ମଧ୍ୟ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ରହିଥିବା ଏସଓପି ବଳବତ୍ତର ରହିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର ମଧ୍ୟ ଏସଓପିକୁ ମାନି ବ୍ୟାରିକେଡ଼ରେ ଯାଇ ଦର୍ଶନ କରିଥିଲେ ।

ଦୀର୍ଘମାସ ପରେ ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କ ସହ ମହାପ୍ରଭୁଙ୍କ ହୋଇଛି ମହାମିଳନ । କୋଭିଡ୍ ନେଗେଟିଭ୍ ରିପୋର୍ଟ ସହ ଏସଓପି ମାନି ଭକ୍ତ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ତେବେ ପ୍ରତିଦିନ ୧୫ ରୁ ୧୭ ହଜାର ଦର୍ଶନାର୍ଥୀ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରିବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଆସନ୍ତା ଫେବ୍ରୁଆରି ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସ୍ୱାଭାବିକ ହେବାର ସମ୍ଭାବନା ରହିଛି ।

ଦୀର୍ଘମାସ ପରେ ଶ୍ରୀମନ୍ଦିର ପୁଣିଥରେ ହୋଇଛି ଗହଳ। ଭକ୍ତଙ୍କ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର । ଦୀର୍ଘ ୯ ମାସ ପରେ ଭକ୍ତଙ୍କ ସହ ଭଗବାନଙ୍କ ମିଳନ ଘଟିଛି । ସକାଳ ୭ଟାରୁ ରାତ୍ର ପହୁଡ଼ ଯାଏଁ ଚାଲିବ ଦର୍ଶନ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.