ପୁଣିଥରେ ଜାରି ହେବ ଲକଡାଉନ!

166

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ସମେତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ମୁମ୍ବାଇରେ ୧୩୧ ଦିନ ମଧ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ୨୪ ଘଣ୍ଟାରେ ୧୩୬୧ ଜଣଙ୍କ ଟେଷ୍ଟ ରିପୋର୍ଟ ମୁମ୍ବାଇରେ ପଜିଟିଭ ଆସିବାରୁ ସହରର ଗାର୍ଡିଆନ ମନ୍ତ୍ରୀ ଅସଲମ ଶେଖ ପୁଣିଥରେ ଲକଡାଉନ ଲାଗୁ ହେବ ବୋଲି ସଙ୍କେତ ଦେଇଛନ୍ତି ।

ସେ କହିଛନ୍ତି ଯଦି ବର୍ଦ୍ଧିତ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ନ ରହିବ, ତା’ହେଲେ ଆମେ ବାଧ୍ୟ ହୋଇ ପୁଣିଥରେ ଆଶିଂକ ଲକଡାଉନ ଲାଗୁ କରିବୁ । ଆସନ୍ତା ୮ରୁ ୧୦ ଦିନ ମୁମ୍ବାଇ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ସରକାର କେସ୍ ଲୋଡ୍କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହା ମଧ୍ୟରେ ମାସ୍କ ନ ପିନ୍ଧିଲେ ଜୋରିମାନା ଓ ମ୍ୟାରେଜ ହଲ ଏବଂ ପବ୍ସରେ ଭିଡ଼ କଲେ କାର୍ଯ୍ୟାନୁଷ୍ଠାନ ଭଳି ବ୍ୟବସ୍ଥା ରହିଛି ।

ଆମେ ଆଗକୁ ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ନେବାକୁ ଯାଉଛୁ । ଏହା ମଧ୍ୟରେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ, ଟେଷ୍ଟ ସଂଖ୍ୟା ବୃଦ୍ଧି ଓ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି । ତଥାପି ସଂକ୍ରମଣ ବଢ଼ିଲେ ଆଶିଂକ ଲକ୍କାଉନ ଲାଗୁ କରାଯିବ ବୋଲି ସେ କହିଛନ୍ତି । ମହାରାଷ୍ଟ୍ରରେ ରବିବାର ରେକର୍ଡ ୧୧,୧୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ୧୪୨ ଦିନ ମଧ୍ୟରେ ସର୍ବାଧିକ । ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍ ଆଗରେ ପୂରା ରାଜ୍ୟର ତଥ୍ୟ ଉପସ୍ଥାପନ କରିଛି ।

ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ କ୍ୟାବିନେଟ ବେଶ ଚିନ୍ତା ପ୍ରକଟ କରିଛି । କିଛି ଜିଲ୍ଲାରେ ଆକ୍ଟିଭ କେସ୍ ଲୋଡ ବୃଦ୍ଧି ପାଉଥିବାରୁ କ୍ୟାବିନେଟର ସଦସ୍ୟ ଆଶିଂକ ଲକଡାଉନ ସପକ୍ଷରେ ମଧ୍ୟ ମତ ଦେଇଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ ଆକ୍ଟିଭ କେସ୍ ସଂଖ୍ୟା ୯୭, ୯୮୩ ରହିଛି । ସେହିପରି ମୁମ୍ବାଇରେ ଏହି ସଂଖ୍ୟା ୯,୩୧୯ । ବିଶେଷଜ୍ଞଙ୍କ ମତରେ ସ୍ଥିତି ଏପରି ଜାରି ରହିଲେ, ଏପ୍ରିଲ ସୁଦ୍ଧା ରାଜ୍ୟରେ ଆକ୍ଟିଭ କେସ୍ ସଂଖ୍ୟା ୨ ଲକ୍ଷ ପାର୍ କରିବାର ଆଶଙ୍କା ରହିଛି ।

ପୂର୍ବରୁ ଗୋଟିଏ କେନ୍ଦ୍ରୀୟ ଟିମ୍ ମହାରାଷ୍ଟ୍ର ଯାଇଥିବା ବେଳେ ଖୁବଶୀଘ୍ର ଆଉ ଗୋଟିଏ ଟିମ୍ ରାଜ୍ୟକୁ ଯାଇ କାହିଁକି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି, ତା’ର ସମୀକ୍ଷା କରିବ ବୋଲି ଜଣାପଡ଼ିଛି । ସୂତ୍ର ଅନୁସାରେ ସ୍ଥାନୀୟ ଲକଡାଉନ ଗୋଟିଏ ଜିଲ୍ଲାରେ ସୀମିତ ରହୁଛି । ତେଣୁ ଏହା ସେତେଟା ପ୍ରଭାବ ଦେଖାଇ ପାରୁନି । ଲୋକମାନେ ବେଶ ଆରାମରେ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲା ସାଧାରଣ ପରିବହନ ସେବାରେ ଯିବା ଆସିବା କରୁଛନ୍ତି । ତେଣୁ ସ୍ଥିତିକୁ ଆଉ ଦୁଇ ସପ୍ତାହ ଭଲ ଭାବେ ତର୍ଜମା କରାଯିବ ଓ ଏହାପରେ ସରକାର ଲକଡାଉନ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।

ରାଜ୍ୟର ୧୬ଟି ଜିଲ୍ଲାରେ ଦୈନିକ ପଜିଟିଭ ରେଟ୍ ୧୧% ମାର୍କକୁ ଅତିକ୍ରମ କରିସାରିଲାଣି । ଔରଙ୍ଗାବାଦ ଓ ମରାଠାୱାଡାରେ ସାପ୍ତାହିକ ପଜିଟିଭ ହାର ୨୪% ପାର କରିଛି । ସେହିପରି ଅକୋଲାରେ ୨୩% ଓ ମୁମ୍ବାଇ ଉପକଙଋରେ ଏହା ୭.୬% ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୨, ୧୯,୭୨୭ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ତେବେ ମୃତ୍ୟୁସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୩୮ ଜଣ ଲୋକ କରୋନାରେ ପ୍ରାଣ ହରାଇବାରୁ ମହାରାଷ୍ଟ୍ରରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୨,୪୭୮ରେ ପହଞ୍ଚିଛି ।

Leave A Reply

Your email address will not be published.