ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ପଣସପଦା ଠାରେ ସାଧାରଣ ନାଗରିକ ମଞ୍ଚ ତରଫରୁ ଚିଲିକା ହ୍ରଦରେ ସାତପଡ଼ା ଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ସେତୁ ନିର୍ମାଣ ଦାବିରେ ଏକ ଖୋଲା ମଞ୍ଚ ବିତର୍କ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଞ୍ଚର ସଭାପତି ରଞ୍ଜନ କୁମାର ଦଳାଇ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦେବ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କେଳୁଚରଣ ଜେନା, ଉପକୂଳ ବାଲିବନ୍ତ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଆଇନଜୀବୀ ଦିଗମ୍ବର ବେହେରା,ସିପିଏମ ଜିଲ୍ଲା ସମ୍ପାଦକ ଭୀମସେନ ସ୍ୱାଇଁ,ସିପିଆଇ ନେତା ଅଧିବକ୍ତା ବ୍ରଜବନ୍ଧୁ ପ୍ରଧାନ, ଶିକ୍ଷାବିତ ଆଦିକନ୍ଦ ଶ୍ରୀଚନ୍ଦନ, ଶ୍ରମିକ ନେତା ପିତବାସ ବେହେରା, ବ୍ରହ୍ମଗିରି ସଚେତନ ନାଗରିକ ମଞ୍ଚ ଆବାହକ ପବିତ୍ର ମୋହନ ଦଳାଇ, ଜୟ ଜବାନ ଜୟ କିଶାନ ପିସ୍ ଫାଉଣ୍ଡେସନ ସଂଯୋଜକ ଶ୍ୟାମଳେନ୍ଦୁ ପ୍ରଧାନ, ଯୁବନେତା ଆର୍ତ୍ତତ୍ରାଣ ପ୍ରଧାନ, ନାରୀନେତ୍ରୀ ରଞ୍ଜିତା ସାହୁ, ବନୀତା ବରାଳ, ବନବାସିନୀ ମହାପାତ୍ର,ପୁଷ୍ପଲତା ମହାପାତ୍ର ପ୍ରମୁଖ ଯୋଗଦେଇ ଚିଲିକା ହ୍ରଦ ଉପରେ ସେତୁ ନିର୍ମାଣ ସପକ୍ଷରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।
ପ୍ରାରମ୍ଭରେ ଶ୍ରମିକ ନେତା ପରେଶ୍ କୁମାର ଜାଲି ସ୍ୱାଗତ ଅଭିଭାଷଣ ଦେଇଥିଲେ । ବିଜେପି ନେତା ଶ୍ରୀ ଜଗଦେବ କହିଥିଲେ ଯେ, ବ୍ରହ୍ମଗିରିରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏଠାରେ ବ୍ରିଜ ହୋଇପାରୁନାହିଁ । ତେଣୁ ଜନସାଧାରଣ ଦଳମତ ନିର୍ବିଶେଷରେ ଚିଲିକାରେ ସେତୁ ନିର୍ମାଣ ପାଇଁ ଗଣ ଆନ୍ଦୋଳନ କରିବାକୁ ସେ ଆହ୍ବାନ ଦେଇଥିଲେ । ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶଙ୍କର ପରିଡା କହିଥିଲେ ଯେ, ରାଜ୍ୟ ସରକାରଙ୍କ ପାଇଁ ଭାରତମାଳା ପରିଯୋଜନା ନକ୍ସା ଦୀଘାରୁ ଗୋପାଳପୁର ଭାୟା ସାତପଡ଼ା ଚିଲିକା ନହୋଇ ଟାଙ୍ଗୀ ଠାରେ ସଂଯୋଗ ହୋଇ ରତନପୁର ଦେଇ ଦୀଘା ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇଛି । ଆଇନଜୀବୀ ଦିଗମ୍ବର ବେହେରା କହିଥିଲେ ଯେ, ପୂର୍ବତନ ବିଧାୟକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପ୍ରସ୍ତାବ କ୍ରମେ ବର୍ତ୍ତମାନର ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଅନ୍ୟାନ୍ୟ ଦଳର ନେତା ତଥା ଅଞ୍ଚଳର ପଚାଶ ଜଣ ବୁଦ୍ଧିଜୀଵୀ ମାନଙ୍କୁ ନେଇ ଏକ ବୈଷୟିକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଆନ୍ଦୋଳନକାରୀ ଅନୁଷ୍ଠାନର ମୁଖ୍ୟ, ଜାତୀୟ ଉଚ୍ଚ ସଡ଼କ ପଥ କର୍ତ୍ତୃପକ୍ଷ ରହିବେ ଓ ସେ ଏହାର ଆବାହକ ରହିବେ । ସମସ୍ତ ଆନ୍ଦୋଳନକାରୀ ଗୋଟିଏ ଛତା ତଳେ ରହି ସାମୁହିକ ଭାବେ ନିଷ୍ପତ୍ତି ଗ୍ରହଣ କରିବାକୁ ଓ କାର୍ଯ୍ୟ କରିବାକୁ ସେ ଆହ୍ବାନ ଜଣାଇଛନ୍ତି । ଏହାର ନିଷ୍କର୍ଷ ଆଧାରରେ ଚିଲିକାରେ ସେତୁ ନିର୍ମାଣ ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଆଗାମୀ ୧୯ ତାରିଖ ଦିନ ଏକ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନେ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭୁବନେଶ୍ୱର ଠାରେ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବ ବୋଲି କେଳୁଚରଣ ଜେନା ସଭାରେ ସୂଚନା ଦେଇଛନ୍ତି । ଚିଲିକାରେ ସେତୁ ନିର୍ମାଣ କରାଗଲେ ଏଠାରୁ ୪୩ କିମି ଦୂରରେ ଅବସ୍ଥିତ ନଳବଣ ପକ୍ଷୀ ଅଭୟାରଣ୍ୟ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସଭାରେ ମତ ପ୍ରକାଶ ପାଇଛି । ଇର଼ୱ୍ଆଡି ଡଲ୍ଫିନ୍ ମାନଙ୍କ ପାଇଁ ଏକ ସଂରକ୍ଷଣ ଅଞ୍ଚଳ ଚିହ୍ନଟ କରିବା ପାଇଁ ସଭାରେ ବକ୍ତାମାନେ କହିଛନ୍ତି ।ଶେଷରେ ମଞ୍ଚର ସମ୍ପାଦକ ବିକ୍ରମ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।