ଭୁବନେଶ୍ୱର : ମହାଲିଙ୍ଗ ସ୍କୁଲ୍ ସଭାପତି ଗୋବିନ୍ଦ ସାହୁ ଓ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା କରିବାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରୟାସ କରିଥିଲେ । ମନ୍ତ୍ରୀଙ୍କ ରାୟପୁର ସ୍ଥିତ ବାସଭବନରେ ଏହି ଉଦ୍ୟମ ହୋଇଥିଲା । ତେବେ ଏହା ବିଫଳ ହୋଇଥିଲା । ମହାଲିଙ୍ଗ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ଏହା ଏକ ଭୟଙ୍କର ଘଟଣା । ଏଭଳି ଭୟଙ୍କର ଘଟଣା ଆଗରୁ ଓଡ଼ିଶାର କେବେ ହୋଇନଥିଲା । ପୁଲିସ ଯେଉଁ ଭଳି ଭାବରେ ତଦନ୍ତ ନାଟକ କରୁଛି, ଗତ ୮ ଦିନ ହେବ ଏଥିରୁ ଲାଗୁଛି ଡିଆଇଜି ଓ ଏସପି ଅପରାଧର ତଦନ୍ତ କରୁନାହାନ୍ତି, ବରଂ ଫିଲ୍ମ ସୁଟିଂ କରୁଛନ୍ତି । ରେକର୍ଡିଂ କରି ତାକୁ ଚାରିଆଡ଼କୁ ପଠାଇବା ସନ୍ଦେହ ଘନୀଭୂତ ହେଉଛି । ଗୋବିନ୍ଦକୁ ଖସାଇ ଦେବାକୁ ପୁଣି ଉଦ୍ୟମ ହେଲାଣି । ପୁଲିସ ଆଗରେ ଯଦି ସେ ସତ ମାନିଲା, ତେବେ ଆଜି ପର୍ଯ୍ୟନ୍ତ ପୁଲିସ ଜୁଡିଆସିଆଲ କନଫେସନ କାହିଁକି କଲା ନାହିଁ । ବର୍ତମାନ ଏହି ଘଟଣାକୁ ଦୁର୍ବଳ କରିବା ପାଇଁ ପୁଲିସ ଲାଗି ପଡ଼ିଛି । ତାର ଟିଆଇ ପ୍ୟାରେଡ କାହିଁକି କରୁନି ପୁଲିସ ।
ଝିଅ ସହିତ କମ୍ପ୍ରୋମାଇଜ୍ କରିବା ଲାଗି ଚେଷ୍ଟା କରାଯାଉଥିଲା । ଏ କଥା ପୁଲିସ ଲୁଚାଉଥିବା ଲୋକମାନେ ବି ଜାଣିଛନ୍ତି । କେବଳ ମନ୍ତ୍ରୀ ସେଠାକୁ ଯାଇନାହାନ୍ତି, ବରଂ ଅନେକ ସରକାରୀ ଅଧିକାରୀ ବି ସେଠାକୁ ଯାଇଛନ୍ତି । ଏପରିକି କମ୍ପ୍ରୋମାଇଜ୍ କରିବା ପାଇଁ ମନ୍ତ୍ରୀ, ଗୋବିନ୍ଦ ଓ ମମିତାଙ୍କୁ ନେଇ ରାୟପୁରରେ ବୈଠକ କରିଛନ୍ତି । ତାହା ପୁଣି ମନ୍ତ୍ରୀଙ୍କ ନିଜ ବାସଭବନରେ । ମନ୍ତ୍ରୀ ରାୟପୁର ଯାଇଛନ୍ତି କି ନାହିଁ ତାହାର ତଦନ୍ତ କରନ୍ତୁ ।
ସତ୍ୟ ଘଟଣାଗୁଡ଼ିକୁ ସରକାର ଓ ଅଫିସର ସମସ୍ତେ ଘଂଟ ଘୋଡ଼ାଇବା ପାଇଁ ଲାଗିଛନ୍ତି । ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରୁଛି ଯେ ଯେଉଁ ତଦନ୍ତ ରିପୋର୍ଟ ଆସିଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାହାର ଅନୁଧ୍ୟାନ କରନ୍ତୁ । ଅନୁଧ୍ୟାନ କରି ଚୁପ ବସି ଯାଆନ୍ତୁ ନାହିଁ, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରୁଛି ।