ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ୯୫ ପ୍ରତିଶତ ଟିକା ଆବଂଟନ କରିବାକୁ ଦାବି କରିଛନ୍ତି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଟିକାକରଣ ପ୍ରସଙ୍ଗ ଉଠାଇ ଏହି ଦାବି କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ଟିକାକରଣରେ ଓଡିଶା ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଆମର ଅପଚୟ ଦେଶରେ ସର୍ବନିମ୍ନ ରହିଛି । ଓଡ଼ିଶାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ ଅଛି । ତେବେ ଘରୋଇ ହସ୍ପିଟାଲକୁ ୨୫ପ୍ରତିଶତ ଟିକା ଆବଂଟନ ବ୍ୟବସ୍ଥା ଥିବାରୁ ଓଡ଼ିଶା କୋଟା କମୁଛି । ଘରୋଇ ହସ୍ପିଟାଲକୁ ୫ପ୍ରତିଶତ ଟିକା ଦେଇ ୯୫ପ୍ରତିଶତ ରାଜ୍ୟ ସରକାରଙ୍କୁ ଦିଆଯାଉ । ଏହା ରାଜ୍ୟରେ ଟିକାକରଣକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଦାବି କରିଛନ୍ତି ।
କରୋନାର ତୃତୀୟ ଲହର ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି କୁହାଯାଉଥିବା ବେଳେ ୧୨-୧୮ବର୍ଷର ପିଲାଙ୍କ ପାଇଁ ଟିକାକୁ ପ୍ରାଥମିକତା ଦିଆଯାଇ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯାଉ ବୋଲି ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ।
ଉଲ୍ଲେଖ୍ୟଯୋଗ୍ୟ ଯେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଓଡିଶା ସମେତ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ , ମହାରାଷ୍ଟ୍ର ଏବଂ କେରଳ ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇଥିଲେ ।