ଭୁବନେଶ୍ୱର: ଚନ୍ଦକା ଜଙ୍ଗଲରେ କ୍ରମାଗତ ଅଗ୍ନି କିମ୍ବା କୌଣସି ବନ୍ୟଜନ୍ତୁ ମୃତାହତ ହେବା ଦୃଷ୍ଟି ଗୋଚର ହୋଇନାହିଁ । ଅପରପକ୍ଷରେ ରାଜ୍ୟରେ ବର୍ତମାନର ବନାଗ୍ନି ପରିସ୍ଥିତିକୁ କ୍ଷେତ୍ରସ୍ତରରେ ଓ କ୍ଷେତ୍ରାଧିକାରୀଙ୍କ ସହ ନିରନ୍ତର ତଦାରଖ ଓ ସମୀକ୍ଷା କରିବା ଜାରି ରହିଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ କୁହାଯାଇଛି ।
ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ପରିସ୍ଥିତିକୁ ପ୍ରଶମିତ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ଏବଂ ବର୍ତମାନ ସୁଦ୍ଧା ରାଜ୍ୟରେ ବନାଗ୍ନି ସ୍ଥିତି ଆୟତାଧିନ ଅଛି । ରାଜ୍ୟ ସରକାର ଜିଲ୍ଲା ପ୍ରଶାସନଙ୍କ ସହ ସମ୍ପର୍କ ରଖି ସ୍ଥାନୀୟ ସମ୍ପ୍ରଦାୟ, ଆଗ୍ନିକ ଓ ପିଆରଆଇ କର୍ମଚାରୀଙ୍କ ସହଯୋଗକୁ ସୁନିଶ୍ଚିତ କରିବା ସହ ସେମାନଙ୍କ ଇଲାକାର ଅଗ୍ନିପ୍ରବଣ ଅଂଚଳ ସହ ହଟସ୍ପଟ୍ ଗୁଡ଼ିକରେ ବନାଗ୍ନିର ବିସ୍ତାରକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ବନଖଣ୍ଡ ଅଧିକାରୀ ଓ ଆଂଚଳିକ ବନସଂରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଗଠିତ ଟାସ୍କଫୋର୍ସ ନିକଟ ଅତୀତରେ, ଶିମିଳିପାଳ ପରିଦର୍ଶନରେ ଯାଇ ବନଅଧିକାରୀ ଓ ସ୍ଥାନୀୟ ସମ୍ପ୍ରଦାୟ ଗୁଡ଼ିକ ସହ ଆଲୋଚନା କରିଛନ୍ତି । ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ରାଜ୍ୟ ବନବାହିନୀ ମୁଖ୍ୟ ଓ ଟାସ୍କଫୋର୍ସ ର ଅଧ୍ୟକ୍ଷ ଗତକାଲି ବନଖଣ୍ଡ ଅଧିକାରୀ ଓ ଆଂଚଳିକ ବନସଂରକ୍ଷକଙ୍କ ସହ ବନାଗ୍ନି ସ୍ଥିତିର ସମୀକ୍ଷା କରିଥିଲେ ।