ଭୁବନେଶ୍ୱର : ଭାରତରେ ଗଣତନ୍ତ୍ରର ଐତିହ୍ୟ ଓ ପରମ୍ପରା ବେଶ ପ୍ରାଚୀନ ଏବଂ ଏହାର ଉତ୍ସ ଓ ଆଧାର ହେଉଛି ଆଧ୍ୟାତ୍ମିକତା । ସମଗ୍ର ବିଶ୍ୱକୁ କୁଟୁମ୍ବ ଜ୍ଞାନ କରୁଥିବା ଭାରତ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ନାନ ଦେବା ସହିତ ପ୍ରତ୍ୟେକଙ୍କ ମଧ୍ୟରେ ଏକତା ଓ ଅଭିନ୍ନତାର ଭାବ ପ୍ରସାରିତ କରିଆସିଛି । ଏବଂ ଏହି ଭାବ ସୁଗନ୍ଧକୁ ନିଜ କ୍ରିୟାଶୀଳତାରେ ସତରାଇଛନ୍ତି ନରେନ୍ଦ୍ର ମୋଦି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଆଜି ଇଡ଼କଲ ପ୍ରେକ୍ଷାଳୟରେ ଆୟୋଜିତ ‘ଦୁଇ ଦଶନ୍ଧି ସରକାର ମୁଖ୍ୟ ରୂପେ ନରେନ୍ଦ୍ର ମୋଦି ଓ ଗଣତନ୍ତ୍ର ପ୍ରକ୍ରିୟା’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ ସତାର ସଂସ୍କୃତି ନୁହେଁ ସଂସ୍କୃତିର ସତା ହିଁ କାମ୍ୟ । ପଦପଦବୀଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାଧାରଣ ଜନତାର ପାଦସେବା । ଏହା ହିଁ ଗଣତନ୍ତ୍ରର ଆତ୍ମା ଓ ସ୍ୱରୂପ । ଏ କ୍ଷେତ୍ରରେ ଭାରତ ବିଶ୍ୱ ବନ୍ଦନୀୟ ହେବାକୁ ଯାଉଛି । ସମଗ୍ର ବିଶ୍ୱରେ ଯୋଗର ପ୍ରସାରରେ ଆଧ୍ୟାତ୍ମ ଭାବର ପ୍ରସାର ଘଟିଛି । ସୂକ୍ଷ୍ମ ଭାବରେ ଅନୁଶୀଳନ କଲେ ନରେନ୍ଦ୍ର ମୋଦିଙ୍କ ବିପୁଳ ଅନୁଭବ, ଅନୁଭୂତି, ଉପଲବ୍ଧି ଓ ବହୁସ୍ତରୀୟ ଅଭିଜ୍ଞତା ଭାରତକୁ ଗୌରବାନ୍ୱିତ କରିଛି ବୋଲି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ।
ବିଶିଷ୍ଟ ଲେଖକ ତଥା ଚିନ୍ତକ ହରପ୍ରସାଦ ଦାସ ଭାରତରେ ଗଣତନ୍ତ୍ର୍ର ଏକ ନିରନ୍ତର ପ୍ରକ୍ରିୟା ଓ ପାଶ୍ଚାତ୍ୟ ଚିନ୍ତନଠୁ ଏହା ଭିନ୍ନ ଏବଂ ନରେନ୍ଦ୍ର ମୋଦି ନିଜସ୍ୱ ଶୈଳୀରେ ଏହାର ପ୍ରତିଷ୍ଠା ଓ ପ୍ରସାରଣ କରୁଥିବା ପ୍ରକାଶ କରିଥିଲେ । ପ୍ରଫେସର ଚିନ୍ତାମଣି ମହାପାତ୍ର ଓ ପ୍ରଫେସର ଶ୍ରୀରାମ ଚାଉଲିଆ ପ୍ରମୂଖ ଶାସନ ମୁଖ୍ୟ ଭାବରେ ନରେନ୍ଦ୍ର ମୋଦିଙ୍କ ଦୁଇ ଦଶକକୁ ଗଣତନ୍ତ୍ର ପ୍ରକ୍ରିୟା ପରିପ୍ରେକ୍ଷୀରେ ବିଭିନ୍ନ ଦୃଷ୍ଟିରୁ ଆଲୋଚନା କରିଥିଲେ ।ରାମଭାଉ ମହାଲଗି ପ୍ରବୋଧିନି ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।