ଟିକାକରଣ ପାଇଁ ଓଡ଼ିଶା ତୟାର
ଭୁବନେଶ୍ୱର: ଓଡ଼ିଶାକୁ ସିଧା ଯୋଗାଣକାରୀ କମ୍ପାନୀରୁ ଆସିବ କରୋନା ଟିକା । ଏ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଖୁବ୍ଶୀଘ୍ର ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟ ଯୋଗାଣରେ ସିଧା ଯୋଗାଣକାରୀ କମ୍ପାନୀରୁ କୋଭିଡ୍-୧୯ ଟିକା ଆସିବ ବୋଲି ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ର୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ହରିଆଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ । ଅବଶିଷ୍ଟ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯଥା ଆଣ୍ଡାମାନ ନିକୋବର ଦୀପପୁଞ୍ଜ, ଅରୁଣାଚଳପ୍ରଦେଶ, ଚଣ୍ଡିଗଡ଼, ଦାଦରା ଓ ନଗର ହବେଲି, ଦାମନ-ଡିୟୁ, ଗୋଆ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖ, ଲାକ୍ଷାଦୀପ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ୍, ପୁଡୁଚେରି, ସିକିମ୍, ତ୍ରିପୁରା, ଏବଂ ଉତ୍ତରାଖଣ୍ଡକୁ ଜିଏମ୍ଏସ୍ଡି ମାଧ୍ୟମରେ ଟିକା ଯୋଗାଇ ଦିଆଯିବ । ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠି ଲେଖାଯାଇ ଟିକା ଗ୍ରହଣ ଲାଗି ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି । ବିଶେଷକରି ଟିକା ଆସିଲେ ତାହାକୁ ଗାଇଡଲାଇନ୍ ଅନୁସାରେ କିଭଳି ଗଚ୍ଛିତ ରଖାଯିବ ଓ ଜିଲ୍ଲାଗୁଡ଼ିକୁ କିଭଳି ପଠାଯିବ ସେ ନେଇ ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ଏପଟେ ରାଜ୍ୟରେ ଆଉ ୧୦ଦିନ ମଧ୍ୟରେ କରୋନା ଟିକା ପହଞ୍ଚିବ । ପହଞ୍ଚିବାର ଦିନେ କିମ୍ବା ଦୁଇଦିନ ଭିତରେ ଟିକାକରଣ ଆରମ୍ଭ କରାଯିବ ବୋଲି ଡିଏମ୍ଇଟି ଡା. ସିବିକେ ମହାନ୍ତି ସୂଚନା ଦେଇଛନ୍ତି । କେନ୍ଦ୍ରସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଦିନ ମଧ୍ୟରେ ଟିକା ପହଞ୍ଚିବ ଓ ପହଞ୍ଚିବାର ୨ ଦିନ ମଧ୍ୟରେ ଟିକାକରଣ ହେବ । ଟିକାକରଣ ପାଇଁ ଆମେ ପ୍ରସ୍ତୁତ ରହିଛୁ ।ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି ତାହାକୁ ୨ଟି ଡୋଜ୍ରେ ଦିଆଯିବ । ପ୍ରଥମ ଡୋଜ୍ ଦେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।