‘ହୁ’ର ଚେତାବନୀ ପ୍ରତି ୪ଜଣରେ ଜଣଙ୍କର ହେବ ଶ୍ରବଣ ସମସ୍ୟା

168

ଜେନେଭା: ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼େଇ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ନୂଆ ବିପଦ ସମ୍ପର୍କରେ ସତର୍କ କରାଇଛି । ‘ହୁ’ କହିଛି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ୱ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକ ଶୁଣିବା ଶକ୍ତି ହରାଇବା ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏ ସଂପର୍କରେ ପ୍ରକାଶ ପାଇଥିବା ଗୋଟିଏ ରିପୋର୍ଟରେ, ‘ହୁ’ କହିଛି ଯେ, ସମ୍ଭାବ୍ୟ
ବିପଦକୁ ସାମ୍ନା କରିବା ପାଇଁ ଆମକୁ ଚିକିତ୍ସା ଓ ସଚେତନତା ଉପରେ ଅଧିକ ଫୋକସ୍ କରିବାକୁ  ପଡ଼ିବ ।

ଏବେଠାରୁ ହିଁ ସମସ୍ୟାର ମୁକାବିଲା କରିବାକୁ ଆମକୁ ରଣନୀତି ପ୍ରସ୍ତୁତ କରିବାକୁ ହେବ । ନଚେତ ସ୍ଥିତି ଭୟଙ୍କର ହୋଇଯିବ ବୋଲି ‘ହୁ’ ତା’ ରିପୋର୍ଟରେ କହିଛି । ‘ହୁ’ର ରିପୋର୍ଟ ଅନୁଯାୟୀ,୨୦୫୦ ସୁଦ୍ଧା ବିଶ୍ୱ ଜନସଂଖ୍ୟାର ଏକ ବୃହତ୍ ଅଂଶ ଶୁଣିବା ଶକ୍ତି ହରାଇ ପାରନ୍ତି । ପ୍ରତି ୪ ଜଣରେ ଜଣେ ଏହି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୭୦୦ ନିୟୁତ ଲୋକଙ୍କୁ ଭଲ ଭାବେ ଶୁଣିବା ପାଇଁ ବିଭିନ୍ନ ଯନ୍ତ୍ରର ବ୍ୟବହାର ଓ ଚିକିତ୍ସା ପଦ୍ଧତିକୁ ଅବଲମ୍ବନ କରିବାକୁ ପଡ଼ିବ ।

ତେଣୁ ବର୍ତ୍ତମାନଠାରୁ ଏଥିପ୍ରତି ସତର୍କ ରହିବା ଆବଶ୍ୟକ । ‘ହୁ’ ଶୁଣିବା ଜନିତ ପ୍ରସଙ୍ଗ ଉପରେ ପ୍ରଥମଥର ପାଇଁ ଏକ ରିପୋର୍ଟ ଜାରି କରିଛି । ଏଥିରେ କୁହାଯାଇଛି ଯେ ସଂକ୍ରମଣ, ରୋଗ, ଜନ୍ମଗତ ସମସ୍ୟା, ଶବ୍ଦ ପ୍ରଦୂଷଣ ଓ ଜୀବନ ବଞ୍ଚିବାର ଶୈଳୀରେ ସୃଷ୍ଟି ହେଉଥିବା ତ୍ରୁଟି ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇପାରେ । ‘ହୁ’ ଚେତାବନୀ ଦେଇ କହିଛି ଯେ, ଯଦି ଏହି ଦିଗରେ ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନିଆନଯାଏ, ତେବେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯିବ ।

ଏହି ସଙ୍କଟ ଦ୍ୱାରା ସ୍ୱାସ୍ଥ୍ୟକ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହେବ । ଖାଲି ସେତିକି ନୁହେଁ, କମ୍ୟୁନେକସନ୍, ଶିକ୍ଷା ଓ ରୋଜଗାର କ୍ଷେତ୍ର ମଧ୍ୟ କ୍ଷତିଗ୍ରସ୍ତ ହେବ । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ୨୦% ଲୋକ ଶ୍ରବଣ ଶକ୍ତି ହରାଇବା ଜନିତ ସମସ୍ୟା ଦ୍ୱାରା ପୀଡ଼ିତ । ଆସନ୍ତା ତିନି ଦଶନ୍ଧି ମଧ୍ୟରେ ଏଭଳି ଲୋକଙ୍କ ସଂଖ୍ୟା ୧.୫ ଗୁଣ ବୃଦ୍ଧି ପାଇପାରେ ।

୨୦୧୯ରେ ଏହି ସଂଖ୍ୟା ୧.୬ ବିଲିୟନ ଥିଲା । ୨୦୧୫୦ରେ ଏହା ୨.୫ ବିଲିୟନକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ୨.୫ ବିଲିୟନ ଲୋକଙ୍କ ମଧ୍ୟରୁ ୭୦୦ ନିୟୁତ ଲୋକ ସାଂଘାତିକ ଶୁଣିବା ଜନିତ ସମସ୍ୟାରେ ପଡ଼ିବେ ଓ ସେମାନଙ୍କୁ ଚିକିତ୍ସା ଯୋଗାଇ ଯନ୍ତ୍ରର ବ୍ୟବହାର କରିବାକୁ ପଡ଼ିପାରେ । ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ଡେମୋଗ୍ରାଫିକ୍ ଆଣ୍ଡ ପପୁଲେସନ୍ ଟ୍ରେଣ୍ଡ୍ସ ଯୋଗୁ ଲୋକଙ୍କ ଶରୀରରେ ଶ୍ରବଣ ଶକ୍ତି ହରାଇବା ଜନିତ ସମସ୍ୟା ସୃଷ୍ଟି ହେବାର ମୁଖ୍ୟ କାରଣ ।

ସେହିପରି ଚିକିତ୍ସା ସୁବିଧା ସମସ୍ତଙ୍କ ପାଖରେ ନ ପହଞ୍ଚିବା ମଧ୍ୟ ଏହି ସମସ୍ୟାର ଆଉ ଏକ କାରଣ । ବିଶେଷକରି ସ୍ୱଳ୍ପ ଆୟକାରୀ ଦେଶମାନଙ୍କରେ ଅଧିକାଂଶ ଲୋକ ଆବଶ୍ୟକ ସୁବିଧା ଓ ଠିକ୍ ସମୟରେ ଚିକିତ୍ସା ସୁବିଧା ପାଆନ୍ତି ନାହିଁ । ଏଭଳି ରାଷ୍ଟ୍ରରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୮୦% ଲୋକ ବସବାସ କରନ୍ତି । ଏଥିଯୋଗୁ ପରିସ୍ଥିତି ଅଧିକ ଖରାପ ହୋଇପାରେ ।

ଏହି ସମସ୍ୟାକୁ ରୋକିବା ପାଇଁ ‘ହୁ’ ପକ୍ଷରୁ କିଛି ପ୍ରସ୍ତାବ ମଧ୍ୟ ଦିଆଯାଇଛି । ‘ହୁ’ କହିଛି ଯେ ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକରର ଶବ୍ଦ ହ୍ରାସ କରିବା ଓ ଶ୍ରବଣ ଶକ୍ତି ହ୍ରାସ କରୁଥିବା ରୋଗର ନିରାକରଣ ପାଇଁ ଟିକାର ବ୍ୟବସ୍ଥା କରାଯିବା ଉଚିତ । ଏଥିସହ ସମସ୍ୟା ଚିହ୍ନଟ କରିବାକୁ ‘ହୁ’ ବ୍ୟବସ୍ଥିତ ସ୍କ୍ରିନିଂ ପାଇଁ ମଧ୍ୟ ପରାମର୍ଶ ଦେଇଛି ।

Leave A Reply

Your email address will not be published.