ଶାସକ-ବିରୋଧୀ ମୁହାଁମୁହିଁ: ବିଧାନସଭା ଅଚଳ

159

ଭୁବନେଶ୍ୱର: ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । ଗୃହରେ ଅସ୍ୱାଭାବିକ ସ୍ଥିତି । ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମାପ୍ରାର୍ଥନା ଦାବିରେ ବିଜେଡି ଅଡି ବସିଥିବା ବେଳେ ପଞ୍ଜିକୃତ ସମସ୍ତ ଚାଷୀଙ୍କଠାରୁ ସରକାର ଧାନ କିଣିବା ଜିଦ୍ ଧରି ବସିଥିଲେ ବିରୋଧୀ । ଉଭୟ ଶାସକ ଓ ବିରୋଧୀ ନିଜ ନିଜ ଜିଦ୍ରେ ଅଟଳ ରହିବା ସହିତ ହୋହାଲ୍ଲାରେ ଗୃହ ହୁଲସ୍ତୁଲ୍ ହୋଇଥିଲା ।

ଗୃହରେ କୈଣସି କାର୍ଯ୍ୟକ୍ରମ ଯେପରି ପ୍ରଶ୍ନୋତର କାର୍ଯ୍ୟକ୍ରମ, ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ଦୁଇ ଥର ଗୃହକୁ ମୁଲତବୀ ରଖିଥିଲେ । ହଟ୍ଟଗୋଳ ସମୟରେ ଉଭୟ ଶାସକ ଓ ବିରୋଧୀ ଦଳ ସ୍ଲୋଗାନ ଓ ପ୍ରତି ସ୍ଲୋଗାନ ଦେବା, କଂଗ୍ରେସ ଦଳର ସଦସ୍ୟ ମାନେ ପୋଡିୟମକୁ ବାଡେଇବା,କିଛି ବିରୋଧୀ ସଦସ୍ୟ ସଚିବଙ୍କ ଆସନ ଉପରେ ଠିଆ ହୋଇ ଫାଇବର ଗ୍ଲାସ ଟାଣିବା, ଉଭୟ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ଆଦି ଦୃଶ୍ୟମାନ ପରିଲକ୍ଷିତ ହୋଇଥିଲା ।

ଏଥିରୁ ନିବୃତ ରହି ନିଜ ନିଜ ଆସନକୁ ଫେରି ଯିବା ପାଇଁ ବାଚସ୍ପତି ବାରମ୍ବାର ଅନୁରୋଧ କରିବା, ସୁରକ୍ଷାକର୍ମୀଙ୍କ ଘେରରେ ବାଚସ୍ପତି ରହିବା ଆଦି ଦେଖାଯାଇଥିଲା । ଶନିବାର ଦିନ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ଦଳର ସଦସ୍ୟମାନେ ନିଜ ନିଜ ଆସନ ଛାଡି ଗୃହର ମଧ୍ୟଭାଗକୁ ପଳାଇ ଆସି ଚାଷୀମାନଙ୍କଠାରୁ ଧାନକିଣା ନଯିବା ପ୍ରସଙ୍ଗକୁ ନେଇ ହୋ ହାଲ୍ଲା କରିଥିଲେ ।

ଅପରପକ୍ଷରେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା କରିବାର ପ୍ରୟାସ ସମ୍ପର୍କିତ ପ୍ରସଙ୍ଗ ଉଠାଇ କହିଥିଲେ ଯେ ବିଧାନସଭାକୁ ଲୋକ ମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ପଠାଇଛନ୍ତି । ଲୋକମାନେ ଆତ୍ମହତ୍ୟା କରିବାକୁ ବିଧାନସଭାକୁ ବିଧାୟକ ମାନଙ୍କୁ ପଠାଇ ନାହାନ୍ତି । ବିଜେପି ସଭ୍ୟ ଯେଉଁ ଆତ୍ମହତ୍ୟାର ପ୍ରୟାସ କଲେ ତାହା ନିନ୍ଦନୀୟ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି ଓ ଦଳର ନିଷ୍ପତି ତାହା ସ୍ପଷ୍ଟ ହେବା ଦରକାର । ସେ ଏଥି ।ଇଁ କ୍ଷମାପ୍ରାର୍ଥନା କରିବା ଆବଶ୍ୟକ ବିରୋଧୀ ଦଳ ଏହାକୁ ନେଇ ଭୁଲ ମାଗିବା ଦରକାର । ଯେପର୍ଯ୍ୟନ୍ତ ବିରୋଧୀ ଦଳ ଏହାକୁ ନେଇ ଭୁଲ ମାଗି ନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚାଲିପାରିବ ନାହିଁ ବୋଲି ସେ କହିଥିଲେ ।

ଏହାପରେ କେତେକ ମନ୍ତ୍ରୀ ଓ ଶାସକ ଦଳର ସଭ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ଆରମ୍ଭକରି ଦେଇଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ୧୧.୩୦ରେ ପୁଣି ଥରେ ବୈଠକ ଆରମ୍ଭ ହୋଇଥିଲା । ହେଲେ ସେତେବେଳେ ମଧ୍ୟ ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା ଓ ପରିସ୍ଥିତିରେ କୌଣସି ପ୍ରକାର ଉନ୍ନତି ଘଟିନଥିଲା । ବିରୋଧୀ ଦଳର ସଦସ୍ୟମାନେ ଚାଷୀ ସମସ୍ୟାକୁ ନେଇ ସେମାନଙ୍କର ଜିଦ୍ରେ ଅଟଳ ରହିଥିବା ବେଳେ ଶାସକ ଦଳର ସଦସ୍ୟ ମାନେ ବିରୋଧୀ ଦଳ ତରଫରୁ କ୍ଷମା ମାଗିବା ଦାବି କରି ଗୃହ ମଧ୍ୟ ଭାଗକୁ ପଳାଇ ଆସିଥିଲେ ।

ବାଚସ୍ପତି ସମସ୍ତଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ ଅନୁରୋଧ କରି ବିଫଳ ହୋଇଥିଲେ । ଏହାପରେ ସେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଅପରାହ୍ନ ୪ଟାରେ ଦ୍ୱିତୀୟାର୍ଦ୍ଧ ବୈଠକ ହେବା କ୍ଷଣି ଶାସକଦଳ ସଭ୍ୟମାନେ ବିଧାୟକ ସୁବାସ ପାଣିଗ୍ରାଣୀଙ୍କ କ୍ଷମାପ୍ରାର୍ଥନା ଦାବିରେ ଅଟଳ ରହି ପୁଣିଥରେ ହଟ୍ଟଗୋଳ କରିଥିଲେ । ପରେ ପରେ ଧାନକିଣାକୁ ନେଇ ବିରୋଧୀଦଳ ସଦସ୍ୟମାନେ ସମାନ ଢଙ୍ଗରେ ହଟ୍ଟଗୋଳ କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ବାଚସ୍ପତି ୪ଟା ୨ରୁ ୪ଟା ୧୭, ୧୫ ମିନିଟ୍ ପାଇଁ ଗୃହକୁ ମୁଲତବୀ ରଖିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ବିଲ୍ ଉପସ୍ଥାପନ କରିବାକୁ ବାଚସ୍ପତି କହିଥିଲେ ।

ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନେ ହଟ୍ଟଗୋଳ ମଧ୍ୟରେ ବିଲ୍ ଉପସ୍ଥାପନ କରିଥିଲେ । ଏହାପରେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମ୍ପୃକ୍ତ ବିଲ୍ ଗୁଡିକର ଆଲୋଚନା ଲାଗି ଦିନ ଓ ସମୟ ଧାର୍ଯ୍ୟ ଲାଗି ଏକ ପ୍ରସ୍ତାବ ଆଗତ କରିଥିଲେ ।ମୌଖିକ ଭୋଟ୍ ରେ ତାହା ଗୃହୀତ ହୋଇଥିଲା । ସଦସ୍ୟମାନଙ୍କର ହୋ ହାଲ୍ଲା ଯୋଗୁଁ ୪ଟା ୨୪ରୁ ୪ଟା ୩୯ ପର୍ଯ୍ୟନ୍ତ ପୁଣିଥରେ ଗୃହ ମୁଲତବୀ ରହିଥିଲା । ଏହାସତ୍ୱେ ଗୃହ ଚାଲି ନପାରିବାରୁ ବାଚସ୍ପତି କହିଥିଲେ ଯେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଖର୍ଚ୍ଚ ଦାବି ରହିଛି । ଏହା ଉପରେ ଆଲୋଚନା ହେବା ଜରୁରୀ । ଆପଣମାନେ ହଟ୍ଟଗୋଳରୁ ବିରତ ରହି ଆଲୋଚନାରେ ଅଂଶଗ୍ରହଣ କରିବାକୁ ବାଚସ୍ପତି ଅନୁରୋଧ କରିଥିଲେ ହେଁ ସେମାନେ ଶୁଣି ନଥିଲେ । ଏହି ଖର୍ଚ୍ଚ ଦାବି ଆସନ୍ତା ୩୦ ତାରିଖ ଦିନ ଗିଲୋଟିନ୍ ଦ୍ୱାରା ପାରିତ ହେବ ବୋଲି ଘୋଷଣା କରିଥିଲେ । ଏହାପରେ ଗୃହ ଆସନ୍ତା ସୋମବାର ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରହିବା ନେଇ ବାଚସ୍ପତି କହିଥିଲେ ।

Leave A Reply

Your email address will not be published.