ମେଗା ପାନୀୟ ଜଳ ପ୍ରକଳ୍ପରେ କାମ ପାଉ ନାହାନ୍ତି ଓଡିଆ ଠିକାଦାର

180

– ବିରୋଧୀଙ୍କ ହଟ୍ଟଗୋଳ
– ସୌମ୍ୟ- ପ୍ରତାପ ସାମ୍ନାସାମ୍ନି

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡିକରେ ଓଡିଆ ଠିକାଦାର ମାନେ କାମ ନ ପାଇବାକୁ ନେଇ ଆଜି ଉଭୟ ସରକାରୀ ଦଳ ଓ ବିରୋଧୀ ଦଳର ବିଧାୟକ ମାନେ ଉଦବେଗ ପ୍ରକାଶ କରିଥିଲେ । ଏହି ପ୍ରସଙ୍ଗରେ ପ୍ରଶ୍ନ ପଚାରିବାକୁ ଅନୁମତି ନ ଦେଇଥିବା କାରଣରୁ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧.୧୪ରୁ ୧୧.୩୦ ଯାଏ ମୁଲତବୀ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ପଂଚାୟତିରାଜ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଏହି ପ୍ରସଙ୍ଗରେ ସାମନା ସାମନି ହେବାର ଦେଖିବାକୁ ମିଳିଥିଲା ।

ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ରାଜ୍ୟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମ୍ପର୍କିତ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ରାଜ୍ୟର ଠିକା ସଂସ୍ଖା ଗୁଡିକୁ ଟେଣ୍ଡରରେ ଅଯୋଗ୍ୟ ବୋଲି ବିବେଚିତ କରି ବାହର ରାଜ୍ୟର ଠିକା ସଂସ୍ଥାକୁ କାମ ଦେବା ଲାଗି ଜାଣି ଶୁଣି ସେଥିରେ ଜଟିଳ ସର୍ତ ଆରୋପ କରା ଯାଇଥିବା ଅଭିଯୋଗ ସତ୍ୟ ନୁହେଁ ।

ବିଧାୟକ ସୌମ୍ୟରଂଜନ କହିଥିଲେ ଯେ ପାନୀୟ ଜଳ ମାମଲାରେ ଓଡିଶାର ଲୋକ ମାନେ ସମଗ୍ର ବିଶ୍ୱରେ କାମ କରିଥାନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଯେ ପାନୀୟ ଜଳ ପ୍ରକଳ୍ପ ଗୁଡିକୁ ମେଗା ପ୍ରକଳ୍ପ କରି ଓଡିଆ ଲୋକ ମାନଙ୍କୁ କାମରୁ ବଂଚିତ କରା ଯାଉଛି । ସବୁ ପ୍ରକଳ୍ପ ଗୁଡିକୁ ମେଗା ପ୍ରକଳ୍ପ କରିବାର ଆବଶ୍ୟକତା କଣ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ ।
ଅନ୍ୟ ପକ୍ଷରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ ପ୍ରଥମେ ଭୂତଳ ଜଳ ବ୍ୟବହାର କରି ପାନୀୟ ଜଳ ପ୍ରକଳ୍ପ କରା ଯାଉଥିଲା । ହେଲେ ଅନେକ ସ୍ଥଳରେ ଦେଖା ଗଲା ଯେ ଭୂତଳ ଜଳ ପାନୀୟ ଜଳ ପାଇଁ ଉପଯୁକ୍ତ ହେଲା ନାହିାଁ ତେଣୁ ଭୂପୃଷ୍ଠ ଜଳକୁ ନେଇ ମେଗା ପାନୀୟ ଜଳ ପ୍ରକଳ୍ପ କରିବାକୁ ପଡୁଛି । ଏଥିରେ ସମସ୍ତ ପ୍ରକାର ନିୟମ ଅନୁସାରେ ଏହା କରା ଯାଉଛି ।

ବିଧାୟକ ସୌମ୍ୟ ରଂଜନ କହିଥିଲେ ଯେ ମନ୍ତ୍ରୀଙ୍କ ଉତର ଶତ ପ୍ରତିଶତ ଠିକ ବୋଲି ମନେ ହେଉ ନାହିିଁ । କାରଣ କୌଣସି ପାନୀୟ ଜଳ ପ୍ରକଳ୍ପର ଚାରିଟି ଦିଗ ରହିଥାଏ । ଗୋଟିଏ ହେଲା ଇନଟେକ ବେଲ, ଟ୍ରିଟମେଂଟ ପ୍ଲାଂଟ, ଓଭରହେଡ ଟ୍ୟାଙ୍କ ତଥା ପାଇପ ଯୋଗେ ଘରକୁ ପାଣି ପହଂଚାଇବା । ସମସ୍ତ କାମ ଜଣେ କରିବ ଏପରି କିଛି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ ।

ଅନ୍ୟ ପକ୍ଷରେ ବିରୋଧୀ ବିଧାୟକ ମାନେ ବହୁଳ ସଂଖ୍ୟାରେ ଏଥିରେ ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ । ବାଚସ୍ପତି କହିଥିଲେ ଯେ ଯଦି ସମସ୍ତଙ୍କୁ ପଚାରା ଯିବାକୁ ଅନୁମତି ଦିଆ ଯିବ ତେବେ ତିନି ଦିନ ସମୟ ଲାଗିବ । ବିରୋଧୀ ଦଳର ବିଧାୟକ ମାନଙ୍କୁ ପ୍ରଶ୍ନ ପଚାରିବାକୁ ଅନୁମତି ଦିଆ ନ ଯିବାକୁ ସେମାନେ ଗୃହର ମଧ୍ୟ ଭାଗକୁ ଆସି ଏହାର ପ୍ରତିବାଦ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୧.୧୪ରୁ ୧୧.୩୦ ଯାଏ ମୁଲତବୀ ଘୋଷଣା କରିଥିଲେ ।

Leave A Reply

Your email address will not be published.