ଭୁବନେଶ୍ୱର : ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ଅନ୍ଦୋଳନ ଦାବୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପାଇକ । ଏହି ଦାବି ନେଇ ପାଇକ ମାନେ ବରୁଣେଇରୁ ପ୍ରତିବାଦ ରାଲିରେ ବାହାରି ମାଷ୍ଟର କ୍ୟାଂଟିିନ ଠାରେ ପହଂଚିବା ପରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରାୟ ୨୦୦ ପାଇକ ଆଖଡ଼ା ଦଳ ଏଥିରେ ସାମିଲ ହୋଇଥିଲେ । ପାଇକମାନେ ରାଜରାସ୍ତାରେ ଆଖଡ଼ା ସହ ଖଣ୍ଡା ଓ ବାଡ଼ି ଖେଳ ଦେଖାଇବା ସହ ହାତରେ ଅସ୍ତ୍ର, ଶସ୍ତ୍ର ଧରି ନାରା ବାଜି କରିଥିଲେ । ଏହାପରେ ମାଷ୍ଟର କ୍ୟାଂଟିନ୍ ରୁ ବାହାରି ସେମାନେ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ । ପାଇକ ଶୋଭାଯାତ୍ରାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାମିଲ ହୋଇଥିଲେ ।
କେନ୍ଦ୍ର ସରକାର ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ମନା କରିଦେବା ପ୍ରତିବାଦ କରିଛନ୍ତି ଓଡିଆ ପାଇକ । କେନ୍ଦ୍ର ଏହି ନିଷ୍ପତିର ପୁର୍ନବିଚାର ପାଇଁ ଦାବି କରିଛି ସଂଘ । ଏହା ସହ ପାଇକ ବିଦ୍ରୋହର ମୂକ ସାକ୍ଷୀ ବରୁଣେଇ ପାଦ ଦେଶରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ବିନା ମୁଲ୍ୟରେ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ଦାବି ପୂରଣ ନହେଲେ ଦିଲ୍ଳୀରେ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛି ପାଇକ ସଂଘ ।