ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚ୍ଡି ବାଧ୍ୟତାମୂଳକ ନୁହଁ: ୟୁଜିସି
ଭୁବନେଶ୍ୱର : ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚ୍ଡି ବାଧ୍ୟତାମୂଳକ ନୁହେଁ । ସ୍ନାତକୋତ୍ତର(ପିଜି) ପରେ ନେଟ୍ (ଜାତୀୟ ଯୋଗ୍ୟତା ପରୀକ୍ଷା)ରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର (ସହକାରୀ ପ୍ରାଧ୍ୟାପକ) ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ ବୋଲି ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପକ୍ଷରୁ ସୂଚନା ଦିଆଯାଇଛି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦେଶ କୁମାର କହିଛନ୍ତି ଯେ, ନୂତନ ଶିକ୍ଷାନୀତିରେ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଉଛି । ଦେଶର ଶିକ୍ଷା ରୂପାନ୍ତରଣରେ ନୂଆ ଶିକ୍ଷା ନୀତି ୨୦୨୦ ଅଭୂତପୂର୍ବ ସଫଳତା ଆଣିବ ।
ଆନ୍ତର୍ଜାତିକ ସ୍ତରରେ ଭାରତର ଶିକ୍ଷା ବ୍ୟବସ୍ଥା ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିବ ବୋଲି ସେ କହିଛନ୍ତି । ସେହିଭଳି ଆସନ୍ତା ଶିକ୍ଷା ବର୍ଷରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବା ନେଇ ସେ ସୂଚନା ଦେବା ସହ ୱାନ ନେସନ୍ ୱାନ୍ ଡାଟା ନାମକ ଏକ ପୋର୍ଟାଲ ୟୁଜିସି ପକ୍ଷରୁ ବିକାଶିତ କରାଯାଉଥିବା ସେ ଦର୍ଶାଇଛନ୍ତି । ଫଳରେ ସର୍ବଭାରତୀୟ ସ୍ତରର ସମସ୍ତ ଛାତ୍ରଛାତ୍ରୀ ଏହି ପୋର୍ଟାଲରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚଶିକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ବୋଲି ପ୍ରଫେସର ଶ୍ରୀ କୁମାର ସୂଚନା ଦେଇଛନ୍ତି ।