– ବାପାଙ୍କର ଅଧୁରା ସ୍ୱପ୍ନ ପୂରଣ କରିବି : ରୁଦ୍ର
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନବୀନ ନିବାସ ଠାରେ ଏହି ଘୋଷଣା କରିଛନ୍ତି । ଏହା ଫଳରେ ଦୀର୍ଘ ଦିନ ଧରି ବିଜେଡିର ପ୍ରାର୍ଥୀ ଚୟନକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ହୋଇଛି ।
ପ୍ରାର୍ଥୀତ୍ୱ ଘୋଷଣା ପରେ ରୁଦ୍ର ତାଙ୍କ ପ୍ରତିକ୍ର୍ରିୟାରେ କହିଛନ୍ତି ଯେ ତାଙ୍କ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ବାପାଙ୍କର ଯାହାସବୁ ଅଧୁରା ସ୍ୱପ୍ନ ରହିଛି ତାହାକୁ ପୂରଣ କରିବି । ଡେଲାଙ୍ଗ- ପିପିଲିବାସୀ ସହଯୋଗ ଓ ସମର୍ଥନ କରିବେ ଏବଂ ଉପନିର୍ବାଚନରେ ନିଶ୍ଚିନ୍ତ ଭାବେ ଜୟଯୁକ୍ତ ହେବୁ ବୋଲି ସେ ଆଶା ପ୍ରକଟ କରିଛନ୍ତି । ସେହିପରି ଟିକେଟ୍ ଦ୍ୱନ୍ଦ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ମା ଟିକେଟ୍ ପାଇବା ଯାହା , ମୁଁ ଟିକେଟ୍ ପାଇବା ସମାନ । ମାଙ୍କର ଆଶୀର୍ବାଦ ମୋ ଉପରେ ରହିଛି । ବାପା , ମାଙ୍କ ବିନା ମୋର ଅସ୍ତିତ୍ୱ ନାହିଁ । ମୋର ଲଢେଇ ମୋ ସହ ହେବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ରୁଦ୍ର ।
ଅପରପକ୍ଷରେ ଗତକାଲି ଏହି ଆସନ ପାଇଁ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ପରେ ସେ ଆଜି ନାମାଙ୍କନ ମଧ୍ୟ ଦାଖଲ କରିସାରିଛନ୍ତି । ତେବେ ପ୍ରମୁଖ ଦଳ ଭାବେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତବର୍ଷ ଅକ୍ଟୋବର ୪ ତାରିଖରେ ପ୍ରଦୀପ ମହାରଥୀଙ୍କ ପରଲୋକ ପରଠାରୁ ପିପିଲି ବିଧାନସଭା ଆସନଟି ଖାଲିପଡ଼ିଛି । ବିଜେଡିରୁ ପ୍ରାର୍ଥୀତ୍ୱ ନେଇ ସ୍ୱର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ଙ୍କ ନାମ ଚର୍ଚ୍ଚା ହେଉଥିଲା । ଟିକେଟ୍ ପାଇବା ନେଇ ତାଙ୍କ ପରିବାରରେ ମତାନ୍ତର ମଧ୍ୟ ହୋଇଥିବା ଖବର ଆସିଥିଲା ।