ପୁଣି ଘୁଂଚିଲା ପିପିଲି ଉପନିର୍ବାଚନ : ମେ ୧୩ ବଦଳରେ ୧୬ରେ ହେବ ଭୋଟ୍ ଗ୍ରହଣ , ୧୯ରେ ଗଣତି

168

– ୧୩ରୁ ବନ୍ଦ ହେବ ପ୍ରଚାର

ଭୁବନେଶ୍ୱର : ପୁଣି ଥରେ ଘୁଂଚିଛି ପିପିଲି ଉପନିର୍ବାଚନ । ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ହେବ । ଏହାର ଦୁଇ ଦିନ ପରେ ଅର୍ଥାତ ୧୯ ତାରିଖରେ ଭୋଟ୍ ଗଣତି ହେବ । ପୂର୍ବରୁ ପିପିଲି ନିର୍ବାଚନ ପାଇଁ ମେ’ ୧୩ ତାରିଖ ଧାର୍ଯ୍ୟ କରାଯାଇଥିଲା । ୧୩ ତାରିଖରେ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ ଉପନିର୍ବାଚନର ତାରିଖକୁ ପୁଣିଥରେ ଘୁଂଚାଯାଇଛି । ନିର୍ବାଚନ କମିଶନଙ୍କ ତରଫରୁ ନୋଟିଫିକେସନ୍ ଆସିବା ପରେ ଗୁରୁବାର ଦିନ ରାଜ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି ଯେ ଏଥର ନିର୍ବାଚନ ଦିନର ୪୮ ଘଂଟା ପରିବର୍ତେ ୭୨ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ରହିବ । ଅର୍ଥାତ୍ ପିପିଲିରେ ମେ’ ୧୩ ତାରିଖ ସନ୍ଧ୍ୟା ପରଠାରୁ ପ୍ରଚାର କାର୍ଯ୍ୟ ବନ୍ଦ କରାଯିବ । ସେହିପରି ଉପନିର୍ବାଚନ ପାଇଁ କୌଣସି ରାଜନୈତିକ ସଭା ଓ ସମାବେଶକୁ ବାରଣ କରାଯାଇଛି । ଭର୍ଚୁଆଲ୍ ମାଧ୍ୟମରେ ରାଜନୈତିକ ଦଳମାନେ ପ୍ରଚାର କରିପାରିବେ । ସର୍ବାଧିକ ୫ ଜଣଙ୍କୁ ଘରକୁ ଘର ବୁଲି ପ୍ରଚାରରେ ଅନୁମତି ଦିଆଯାଇଛି । ଭୋଟଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀର ତାପମାତ୍ରା ମପାଯିବ । ଲକ୍ଷଣ ଦେଖିଲେ ଟୋକନ ଦିଆଯିବ । ଲକ୍ଷଣ ଥିବା ବ୍ୟକ୍ତି ସନ୍ଧ୍ୟା ୫ ପରେ ଭୋଟ୍ ଦେବେ । ସବୁ ଭୋଟରଙ୍କୁ ଭୋଟ ଦେବା ପାଇଁ ଗୋଟିଏ ଲେଖାଏଁ ଗ୍ଲୋଭସ ମିଳିବ ବୋଲି ନିର୍ବାଚନ କମିଶନର ଗାଇଡଲାଇନରେ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୧୭ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଲାଗି ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏପ୍ରିଲ ୧୪ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଯୋଗୁଁ ଭୋଟଗ୍ରହଣକୁ ସ୍ଥଗିତ ରଖାଯାଇଥିଲା । ଏହା ପରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ମେ’ ୧୩ତାରିଖରେ ହେବା ପାଇଁ ସାନି ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ ।

Leave A Reply

Your email address will not be published.