ଜଗତସିଂହପୁର : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଂଟିଆ ଜଗତସିଂହପୁର ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେଉଛି । ଏହାର ପ୍ରଭାବରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦୋକାନ ବଜାର, ବ୍ୟାଙ୍କ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।
ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଉପେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଜଗତସିଂହପୁର ଗାନ୍ଧି ଛକ ନିକଟରେ ରାସ୍ତା ଉପରେ ଧାରଣା ଦିଆଯାଇଛି । ଏଥିରେ ଶତାଧିକ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ୍ ହୋଇଥିଲେ । ପାରାଦ୍ୱୀପର ଅଠରବାଙ୍କୀ ଠାରେ ବିଜେପି ନେତା ସମ୍ପଦ ସ୍ୱାଇଁ ଓ ସୁବ୍ରତ ପ୍ରଧାନଙ୍କ ନେତୃତ୍ୱରେ ରାସ୍ତା ଉପରେ ଧାରଣା ଦିଆଯାଇଥିଲା । ଅନୁରୂପ ଭାବେ କୁଜଙ୍ଗ, ଏରସମା, ବାଲିକୁଦା, ନାଉଗାଁ, ରଘୁନାଥପୁର ଏବଂ ତିର୍ତୋଲରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି ।