ସାର୍ବଜନୀନ ଟୀକାକରଣ ଲକ୍ଷ୍ୟ : ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ (ଆଇଏମଆଇ) ୩.୦ର ଶୁଭାରମ୍ଭ କଲେ ଡ. ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ ୩.୦ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ଥିଲେ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଆଇଏମଆଇ ୩.୦ ପୋର୍ଟାଲ ଉନ୍ମୋଚନ କରିବା ସହିତ ଆଇଏମଆଇ ୩.୦ ପାଇଁ ପରିଚାଳନା ଗାଇଡଲାଇନ, ଅଭିଯାନର ଅଂଶବିଶେଷ ଭାବେ ବିକଶିତ କରାଯାଇଥିବା ସଚେତନତା ସାମଗ୍ରୀ/ଆଇଇସି ପ୍ୟାକେଜ ଜାରି କରିଥିଲେ ।
ପ୍ରତ୍ୟେକ ମା’ ଓ ଶିଶୁଙ୍କ ଟୀକାକରଣ ଲାଗି ବ୍ୟାପକ ପ୍ରସ୍ତୁତି ନେଇ ଡ. ହର୍ଷବର୍ଦ୍ଧନ ସନ୍ତୋଷ ବ୍ୟକ୍ତ କରିଥିଲେ। ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ ୩.୦ ଦୁଇଟି ପର୍ଯ୍ୟାୟରେ ଫେବୃଆରୀ ୨୨ ଏବଂ ମାର୍ଚ୍ଚ ୨୨, ୨୦୨୧ ଠାରୁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଦେଶର ୨୯ ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ପୂର୍ବରୁ ଚିହ୍ନଟ ହୋଇଥିବା ୨୫୦ଟି ଜିଲ୍ଲା/ସହରାଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବ। କୋଭିଡ-୧୯ କାରଣରୁ ଟୀକା ନେଇ ପାରିନଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କ ଟୀକାକରଣ ଲାଗି ଆଇଏମଆଇ ୩.୦ରେ ଅଧିକ ଧ୍ୟାନ ଦିଆଯିବ। ଆଇଏମଆଇ ୩.୦ର ଦୁଇଟି ରାଉଣ୍ଡରେ ସେମାନଙ୍କୁ ଚିହ୍ନଟ କରାଯାଇ ଟୀକା ଦିଆଯିବ। ପ୍ରତ୍ୟେକ ରାଉଣ୍ଡର ଅବଧି ୧୫ ଦିନ ଲେଖାଏଁ ହେବ। ଏଥିରେ ପ୍ରବାସୀ କ୍ଷେତ୍ର ଏବଂ ଅପହଞ୍ଚ ଇଲାକା ପ୍ରତି ବିଶେଷ ଧ୍ୟାନ ଦିଆଯିବ କାରଣ ଏମାନେ ହୁଏତ’ କୋଭିଡ-୧୯ କାରଣରୁ ସେମାନଙ୍କର ଟୀକାର ଡୋଜ ନେଇପାରିନଥିବେ ।
ଡ. ହର୍ଷବର୍ଦ୍ଧନ ଉଲ୍ଲେଖ କରିଥିଲେ ଯେ ଆଇଏମଆଇ ୩.୦ ଏହି ଅଭିଯାନର ପୂର୍ବ ଉପଲବ୍ଧି ଉପରେ କାର୍ଯ୍ୟକାରୀ କରାଯିବ ଏବଂ ସାର୍ବଜନୀନ ଟୀକାକରଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ। ପ୍ରଥମ ପର୍ଯ୍ୟାୟ ମିଶନ ଇନ୍ଦ୍ରଧନୁଷ ପରଠାରୁ ଏହି ଅଭିଯାନକୁ ୬୯୦ ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇ ୩୭.୬୪ ନିୟୁତ ଶିଶୁ ଏବଂ ୯.୪୬ ନିୟୁତ ଗର୍ଭବତୀ ମହିଳାଙ୍କ ଟୀକାକରଣ କରାଯାଇସାରିଛି। ବର୍ତ୍ତମାନ ଏହାର ଅଷ୍ଟମ ଅଭିଯାନରେ ଦେଶର ସମସ୍ତ ଜିଲ୍ଲାରେ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ଟୀକାକରଣ କଭରେଜ (ଏଫଆଇସି) ଲକ୍ଷ୍ୟ କରାଯାଇଛି। ଟୀକାକରଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ଏହାକୁ ବଜାୟ ରଖାଯିବ। ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ଭାରତର ଯାତ୍ରାରେ ବିଶେଷ ସହାୟକ ହୋଇପାରିବ। ମିଶନ ଇନ୍ଦ୍ରଧନୁଷ ୨୦୧୪ ରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସଂକଳ୍ପ ବଳରେ ଆରମ୍ଭ ହୋଇପାରିଥିଲା। ଦେଶର ସମସ୍ତ ନାଗରିକମାନଙ୍କୁ ଶସ୍ତା ଓ ସୁଲଭ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଏହାର ଲକ୍ଷ୍ୟ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ କହିଥିଲେ।
ଆଇଏମଆଇ ୩.୦ ଲାଗି ଜାରି କରାଯାଇଥିବା ଗାଇଡଲାଇନ ମୁତାବକ ଜିଲ୍ଲାଗୁଡ଼ିକ ମଧ୍ୟରୁ ୩୧୩ଟି ଜିଲ୍ଲାକୁ କମ ବିପଦ, ୧୫୨ଟି ଜିଲ୍ଲାକୁ ମଧ୍ୟମ ବିପଦ ଏବଂ ୨୫୦ଟି ଜିଲ୍ଲାକୁ ଅଧିକ ବିପଦପୂର୍ଣ୍ଣ ଜିଲ୍ଲା ଭାବେ ଶ୍ରେଣୀଭୁକ୍ତ କରାଯାଇଛି।
ବର୍ତ୍ତମାନର କୋଭିଡ ସଙ୍କଟ ପରିପ୍ରେକ୍ଷୀରେ ଅଭିଯାନର ଭୂମିକା ଉପରେ ଆଲୋକପାତ କରି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ କହିଥିଲେ, “ଦେଶ ସଫଳତା ପୂର୍ବକ କୋଭିଡ-୧୯କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ଏବଂ ସାରା ଦେଶରେ ଦୁଇଟି ସ୍ଵଦେଶୀ ଟୀକାର ପ୍ରଚଳନ ଆରମ୍ଭ ହୋଇଛି। ଏଥିପୂର୍ବରୁ ଟୀକାକରଣର ଏତେ ଅଧିକ ଗୁରୁତ୍ୱ କେବେ ବି ଅନୁଭୂତ ହୋଇନଥିଲା। ପ୍ରତ୍ୟେକ ବର୍ଷ ୧୨ଟି ଟୀକା ପ୍ରତିରୋଧକ ରୋଗ ପାଇଁ ୨.୬୫ କୋଟି ଶିଶୁ ଏବଂ ୨.୯ କୋଟି ଗର୍ଭବତୀ ମହିଳାଙ୍କର ଟୀକାକରଣ କରାଯାଇଥାଏ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଏସବୁ ପ୍ରୟାସ ସତ୍ତ୍ବେ, କିଛି ଶିଶୁ ଓ ଗର୍ଭବତୀ ମହିଳା ଏହି ନେଟୱର୍କରୁ ବଞ୍ଚିତ ହୋଇଥାନ୍ତି । ଟୀକାରୁ ବଞ୍ଚିତ ହୋଇଥିବା ସମସ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କର ଟୀକାକରଣ କରିବା ଲାଗି ମିଶନ ଇନ୍ଦ୍ରଧନୁଷ ଏକ ସଫଳ ରଣନୀତି। ଏହାଫଳରେ ଟୀକାକରଣ ପ୍ରସାରରେ ଯଥେଷ୍ଟ ଉନ୍ନତି ହୋଇଛି ଯାହାକି ୨୨ଟି ରାଜ୍ୟର ଏନଏଫଏଚଏସ ୫ ତଥ୍ୟରୁ ସ୍ପଷ୍ଟ ହୋଇଛି ବୋଲି ଡ. ହର୍ଷବର୍ଦ୍ଧନ କହିଥିଲେ ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ନାଗରିକମାନଙ୍କୁ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଦିଗରେ ଏକ ବୃହତ ପଦକ୍ଷେପ ସ୍ୱରୂପ, କୋଭିଡ-୧୯ ଟୀକାକରଣ ସମୟରେ ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ (ଆଇଏମଆଇ) ୩.୦ ଭଳି ଅଭିଯାନ କାର୍ଯ୍ୟକାରୀ କରାଯିବା ଦର୍ଶାଉଛି ଯେ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିନକୁ ଦିନ ଆହୁରି ସୁଦୃଢ଼ ହେବାକୁ ଲାଗିଛି।