ସାଲେପୁର : ପ୍ରାଚୀନ ଉତ୍କଳର ସାମାଜିକ ରୀତିନୀତି, ଚାଲିଚଳନ, ଧର୍ମୀୟ ଭାବ ଧରା ଉପରେ ଦଣ୍ଡାୟମାନ ହୋଇଛି ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର ପଞ୍ଚାୟତରେ ଥିବା ଶ୍ରୀରଘୁନାଥ ଜୀଉଙ୍କ ମଠ । ଲୋକ କଥା ଅନୁଯାୟୀ ନାଗା ସନ୍ୟାସୀ ମାନେ ରଘୁନନ୍ଦନ ମହନ୍ତଙ୍କ ଦ୍ଵାରା ଶ୍ରୀରଘୁନାଥ ଜୀଉଙ୍କ ମଠକୁ ଏହି ସ୍ଥାନରେ ପ୍ରତିଷ୍ଠା କରିଥିଲେ ।
ଏହି ମଠର ସମ୍ପତି ଏ ଯାଏ ୨୨ ବାଟି ୨୨ ମାଣେ ୨୨ ଗୁଣ୍ଠ ୨୨ ବିଶ୍ୱା ଥିଲା । ଏବେ ଦେବୋତର ବିଭାଗର ଦାଇତ୍ୱ ହୀନତା ଯୋଗୁ ଠାକୁରଙ୍କ ନୀତିକାନ୍ତି ଠିକ ଭାବେ ହୋଇପାରୁନଥିବା ସହ ସମସ୍ତ ସମ୍ପତ୍ତିର କୌଣସି ସଠିକ ହିସାବ ମିଳିପାରୁନାହିଁ । କେତେକ ହୀନ ଚକ୍ରାନ୍ତ ଵ୍ୟକ୍ତି ଏହି ସମ୍ପତିକୁ ନିଜ ନିଜ ନାମରେ କରିନେଇ ଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ତେବେ କେତେକ ଭାଗଦାରୀ ସୂତ୍ରରେ ନେଇଥିବା ଚାଷଜମିର ଭାଗ ମଧ୍ୟ ସଠିକ ଭାବେ ମଠକୁ ଦେଉନାହାନ୍ତି । ଫଳରେ ମଠର ଆୟ କମ ହେବାରୁ ଠାକୁରଙ୍କ ନୀତି ଠିକ ଭାବେ ହୋଇପାରୁନଥିବା କଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ବିଶେଷ କରି ୧୯୯୯ ମସିହାର ମହାବାତ୍ୟା ପରେ ପରେ ଏହି ମଠର ଚିତ୍ରସମ୍ପୂର୍ଣ ବଦଳି ଯାଇଥିବା ଦେଖିବାକୁ ମିଳିଛି । ବିରାଟ ବିରାଟ ପାଚେରୀ, କୋଠାଘର ଭାଙ୍ଗି ମାଟିରେ ମିଶିଛି । ଏହି ମଠର ପରିଚାଳନା ନିମନ୍ତେ କମିଟି ଗଠନ ହୋଇନଥିବା ବେଳେ, ପ୍ରାକ୍ତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ତୁରନ୍ତ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଏହି ପ୍ରାଚୀନ କୀର୍ତ୍ତିବର୍ଣିତ ପୁରାତନ ମଠ ଓ ମିନ୍ଦରର ପୁନରୁଦ୍ଧାର ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।